ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ: ପୂର୍ବ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରାରେ କରୋନା ଗାଇଡଲାଇନକୁ ଫୁ’

ଭୋପାଳ: ଦେଶର କିଛି ଅଞ୍ଚଳରେ କରୋନା ପ୍ରଭାବ କମିଥିଲେ ବି ଏବେବି ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନି । କିନ୍ତୁ ଲୋକମାନେ ଏହାକୁ ଗୁରୁତର ସହ ନେଉନଥିବାରୁ କରୋନା ପୁଣି ଭୟାନକ ହେଉଛି । ସେପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ନିକଟରେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମାଙ୍କ ପରଲୋକ ହୋଇଥିଲା ଓ ବିଦିଶାର ସିରୋଜରେ ତାଙ୍କର ଅନ୍ତମ ସଂସ୍କାର କରାଯାଇଥିଲା । କିନ୍ତୁ ଠିକ୍ ଏହି ସମୟରେ ହଜାର ହଜାର ଲୋକ ଏକତ୍ରିତ ହୋଇଥଲେ । ସେମାନଙ୍କ ମଧ୍ୟରୁ ନା କେହି ମାସ୍କ ପିନ୍ଧିଥିଲେ, ନା କେହି ସାମାଜିକ ଦୂରତା ପାଳନ କରିଥିଲେ ।

ତେବେ ମଧ୍ୟପ୍ରଦେଶରେ ଏବେ ଅନ୍ତିମ ସଂସ୍କାର ପାଇଁ କେବଳ ୧୦ ଜଣ ଲୋକଙ୍କୁ ଅନୁମତି ଦିଆଯାଉଛି । କିନ୍ତୁ ପୂର୍ବ ମନ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ଏହି ନିୟମ ପାଳନ ହୋଇନଥିବା ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟକ ଲୋକେ ତାଙ୍କୁ ଅନ୍ତିମ ବିଦାୟ ଦେବାକୁ ଏକତ୍ରିତ ହୋଇଥିଲେ । ଫଳରେ ସୁରକ୍ଷା ବ୍ୟବସ୍ଥା ସହ କରୋନା ଗାଇଡଲାଇନର ଧଜ୍ଜିଆ ଉଡିଥିଲା ।
କରୋନାର ଦ୍ୱିତୀୟ ଲହରର ସାମ୍ନାକୁ କରିବା ପରେ ମଧ୍ୟପ୍ରଦେଶରେ କିଛି ମାତ୍ରାରେ ସୁଧାର ଆସିଛି । ଗତ କିଛି ଦିନ ହେବ ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ପ୍ରଥମ ଦିନରୁ ଅବହେଳା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, କରୋନାରେ ଭାରତୀୟ ଜନତା ପାଟିର ନେତା ଲକ୍ଷ୍ମୀକାନ୍ତ ଶର୍ମାଙ୍କ ମୃତ୍ୟୁ ହୋଇଛି । ମେ’ ୧୧ରେ ସେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନ ଚିକିତ୍ସା ପରେ ବି ତାଙ୍କର ନିଧନ ହୋଇଥିଲା । ଏବେ ନେତାଙ୍କ ଅନ୍ତିମ ସଂସ୍କାରରେ କୋଭିଡ ଗାଇଡଲାଇନକୁ ଫୁ’ କରି ଉଡାଇଦେଇଛନ୍ତି ଲୋକେ ।