fbpx
BSKY
BJD MC SKY
BJD MS SKY

କ୍ରିକେଟ ମାନଚିତ୍ରରୁ ହଜିଗଲାଣି ଓଡ଼ିଶା: ୩ ଫର୍ମାଟରେ ଓଡ଼ିଆ ଖେଳାଳିଙ୍କ ସ୍ଥାନ ଶୂନ, ଗତ ୨୦ ବର୍ଷର ଇତିହାସ ଦେଖିଲେ ଦୁଃଖ ଲାଗୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହକି, ଫୁଟବଲ, ଅଲଟିମେଟ ଖୋ-ଖୋ ଆଦି ବିଭିନ୍ନ ଖେଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ଖେଳାଳିଙ୍କୁ ଅଜସ୍ର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ତେବେ ସବୁଠାରୁ ଦୁଃଖର କଥା ହେଉଛି ଦେଶରେ ସର୍ବାଧିକ ଲୋକପ୍ରିୟ କ୍ରିକେଟ ଖେଳରେ ଆଜି ଓଡ଼ିଶା ବହୁ ପଛରେ ରହିଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନାହାନ୍ତି । ଏହା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଦୁଃଖର କଥା ।

ସବୁଠାରୁ ବିଡ଼ମ୍ବନାର ବିଷୟ ଏହା ଯେ, ଭାରତୀୟ କ୍ରିକେଟ ଆଜି ବିଶ୍ୱ କ୍ରିକେଟରେ ତା’ର ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ଅନ୍ୟପକ୍ଷରେ ଭାରତର କ୍ରିକେଟ ମାନଚିତ୍ରରେ ଓଡ଼ିଶାର ମାନଚିତ୍ର ସତେ ଯେମିତି ଅଦୃଶ୍ୟ ହୋଇଯାଇଛି । ଗତ ୨୦ ବର୍ଷ ମଧ୍ୟରେ ହାତ ଗଣତି କେତେଜଣ ଖେଳାଳିଙ୍କୁ ଛାଡ଼ିଦେଲେ ଜାତୀୟ ସ୍ତରରେ କୌଣସି ଓଡ଼ିଆ ଖେଳାଳି ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇ ପାରିନାହାନ୍ତି । ତେବେ ରାଜ୍ୟର କ’ଣ ସତରେ କ୍ରିକେଟ ପ୍ରତିଭାଙ୍କ ଅଭାବ ରହିଛି । ଏହି ପ୍ରଶ୍ନକୁ ଅନେକ କ୍ରିକେଟ ପଣ୍ଡିତ ମାନେ ଅଗ୍ରାହ୍ୟ କରିଦେଇଛନ୍ତି । ପ୍ରୋତ୍ସାହନ, ସୁବିଧା ସୁଯୋଗ ଆଦି ମିଳିଲେ ରାଜ୍ୟର ଖେଳାଳିମାନେ ଆଗକୁ ଯାଇପାରିବେ ।

ରାଜ୍ୟର ପ୍ରଥମ କ୍ରିକେଟର ଭାବେ ଦେବାଶିଷ ମହାନ୍ତି ୧୯୯୯ ମସିହା ବିଶ୍ୱକପରେ ସ୍ଥାନ ପାଇ ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ପରବର୍ତ୍ତୀ ସମୟରେ ଶିବସୁନ୍ଦର ଦାସ କିଛି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ଓଡ଼ିଆ ଖେଳାଳି ପ୍ରଜ୍ଞାନ ଓଝା ଆଇପିଏଲରେ ହାଇଦ୍ରାବାଦ ତରଫରୁ ଖେଳିଥିଲେ । ଗତ ୨୦୨୨ରେ ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ ଆଗାମୀ ସିଜିନ୍ ପୂର୍ବରୁ ତାଙ୍କୁ ରିଲିଜ୍ କରିଦେଇଛି ।

ତେବେ ଟିଭି ପରଦାରେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଓଡ଼ିଆ ଖେଳାଳିଙ୍କୁ ନ ଦେଖିବା ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମନରେ ଉଦାସ ଭରିଦେଇଥାଏ । ସତରେ କ’ଣ ଦେବାଶିଷଙ୍କ ପରେ ଆଉ କେହି ଓଡ଼ିଆ ଖେଳାଳି ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିପାରିବେନି? ଆଉ କେତେବର୍ଷ ୪ କୋଟି ଓଡ଼ିଆଙ୍କୁ ଏପରି ଅପେକ୍ଷା କରିବାକୁ ପଡ଼ିବ? ରାଜ୍ୟର ଅନେକ ପ୍ରତିଭା ବିଭିନ୍ନ କ୍ଷେତ୍ରରେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ କ୍ରିକେଟରେ କାହିଁକି ପଛରେ ରହିବେ? କ୍ରିକେଟ ପାଗଳ ଦେଶରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପରି ସୀମିତ ଓଭର ଫର୍ମାଟରେ ମଧ୍ୟ କୌଣସି ଓଡ଼ିଆ ଖେଳାଳି ସ୍ଥାନ ପାଇ ପାରୁନାହାନ୍ତି । ଏହାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ । ରାଜ୍ୟର ଖେଳାଳିମାନେ ଜାତୀୟ ସ୍ତରରେ ସ୍ଥାନ ପାଇଲେ ତାହା ପରବର୍ତ୍ତୀ ପୀଢ଼ିଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।

Get real time updates directly on you device, subscribe now.