fbpx

ରସାୟନ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମାଉଙ୍ଗି ଜି. ବାୱେଣ୍ଡି, ଲୁଇସ ଇ. ବ୍ରୁସ ଓ ଆଲେକ୍ସି ଆଇ. ଏକିମୋଭଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପ୍ରଦାନ କରାଯିବ । କ୍ୱାଣ୍ଟମ ଡଟସର ଆବିଷ୍କାର ଓ ସିନ୍ଥେସିସ ପାଇଁ ଏହି ତିନି ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ଏହା ପୂର୍ବରୁ ଗତ ୨ ତାରିଖରେ ମେଡିସିନ ଓ ୩ ତାରିଖରେ ପଦାର୍ଥ ବିଜ୍ଞାନ ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା ।

ମାଉଙ୍ଗି ୧୯୬୧ ମସିହାରେ ଫ୍ରାନ୍ସର ପ୍ୟାରିସରେ ଜନ୍ମଗ୍ରହଣ କରିଥିଲେ । ୧୯୮୮ରେ ସେ ଆମେରିକାର ଆଇଏଲ, ଚିକାଗୋ ୟୁନିଭରସିଟିରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ସେ ଆମେରିକାର ଏମଏ, କେମ୍ବ୍ରିଜ ମାସାଚୁଚେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ।

ଲୁଇସ ୧୯୪୩ ମସିହାରେ ଆମେରିକାର ଓଏଚ, କ୍ଲୋଭେଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହାରେ ସେ ଆମେରିକାର ଏନୱାଇ, ନ୍ୟୁୟର୍କ, କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ । ସେ ଆମେରିକାର ଏନୱାଇ, ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ।

ଆଲେକ୍ସି ୧୯୪୫ ମସିହାରେ ସେ ସମୟର ସୋଭିଏସ ସମାଜବାଦୀ ଗଣତନ୍ତ୍ର ସଂଘ (ୟୁଏସଏସଆର)ରେ ଜନ୍ମଗ୍ରହଣ କରିଥିଲେ । ୧୯୭୪ରେ ସେ ରୁଷିଆର ସେଣ୍ଟ ପିଟର୍ସବର୍ଗର ଫିଜିକାଲ-ଟେକ୍ନିକାଲ ଶିକ୍ଷାନୁଷ୍ଠାନରୁ ପିଏଚଡି କରିଥିଲେ । ସେ ଆମେରିକାର ଏନୱାଇ, ନୁୟର୍କର ନାନାକ୍ରିଷ୍ଟାଲସ ଟେକ୍ନୋଲୋଜିରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.