fbpx

ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ; ଏଣିକି ଅଣହିନ୍ଦୁଙ୍କୁ ଜଗିବେ ସେବାୟତ, ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଅନେକ ସମୟରେ ଅଣହିନ୍ଦୁମାନଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଥିବାର ନଜିର ରହିଛି । ତେଣୁ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ପଣା ସଂକ୍ରାନ୍ତି ଠାରୁ ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଛିକାର । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ୪ଟି ଦ୍ୱାରରେ ସେବାୟତଙ୍କୁ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନାରୁ ପ୍ରକାଶ ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବାର ଦେଖାଦେଇଛି । ଗତ ମାର୍ଚ୍ଚ ମାସରେ ସୁରକ୍ଷାବଳୟ ଭାଙ୍ଗି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଅବାଧରେ ପ୍ରବେଶ କରିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ । ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ବାରମ୍ବାର ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦ୍ୱାରରେ ମୁତୟନ ରହୁଥିବା ବେଳେ ଏବେ କିଛି ଦିନ ହେଲା ସେ ବ୍ୟବସ୍ଥା ବନ୍ଦ ରହିଛି । ତେବେ ପୂନର୍ବାର ପ୍ରତିହାରୀ ସେବାୟତ ମାନେ ସିଂହଦ୍ୱାର ଖୋଲିବା ସମୟରେ ଓ ସନ୍ଧ୍ୟା ଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗର ସମ୍ପାଦକ କହିଛନ୍ତି ।

Get real time updates directly on you device, subscribe now.