fbpx

ନିର୍ବାଚନୀ ରାଲିରେ ସାମିଲ ହେଲେ ଶିକ୍ଷୟତ୍ରୀ, ନିଲମ୍ବନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ବୌଦ୍ଧ: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟପଟେ ପ୍ରାର୍ଥୀ ତାଲିକା ପ୍ରକାଶ ସହ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ନିର୍ବାଚନୀ ରାଲିରେ ସାମିଲ ହୋଇଥିବାରୁ ଜଣେ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧର ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ଉକ୍ତ ଶିକ୍ଷୟତ୍ରୀ ଜଣଙ୍କୁ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି ।

ସୂଚନା ଅନୁସାରେ, ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ପଲଶପାଟ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍ ରାଲି ହୋଇଥିଲା । ଏହି ରାଲିରେ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକ ଯୋଗଦେଇଥିଲେ । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସମସ୍ତ ସରକାରୀ କର୍ମଚାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ ବୋଲି ଚିଠି ଲେଖି ଉଲ୍ଲେଖ କରାଯାଇଥିଲା । ତେଣୁ ଏହି ନିୟମର ଉଲଂଘନ କରିଥିବାରୁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି ।

 

Get real time updates directly on you device, subscribe now.