‘ସ୍କୁଲ ନୁହେଁ, ବିଜେଡି ରଙ୍ଗ ବଦଳାଇଛୁ’

ଭୁବନେଶ୍ୱର,୬ା୩: ସ୍କୁଲ ରଙ୍ଗ ବଦଳିବାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, ସ୍କୁଲ ରଙ୍ଗ ନୁହେଁ, ଆମେ ବିଜେଡି ରଙ୍ଗ ବଦଳାଇଛୁ । ପୂର୍ବ ସରକାର ଦଳୀୟ ରଙ୍ଗ ବା ବିଜେଡି ରଙ୍ଗ କରିଥିଲେ, ଆମେ ଦଳୀୟ ତଥା ବିଜେଡି ରଙ୍ଗକୁ ପରିବର୍ତ୍ତନ କରିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ବିଜେଡି ସରକାର ଅଂହକାରୀ ସରକାର । ସବୁଠି ରଙ୍ଗ ବଦଳାଇଥିଲେ। ଯେଉଁଠି ଯେଉଁଠି ବିଜେଡିକରଣ କରାଯାଇଥିଲା ସେଠି ବଦଳାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାନୁସାରେ, ସରକାରୀ ସ୍କୁଲ ଓ ପିଏମ୍‌ଶ୍ରୀ ସ୍କୁଲର ରଙ୍ଗ ପରିବର୍ତ୍ତନ ନେଇ ଗତ ମାର୍ଚ୍ଚ ୪ରେ ଓଡ଼ିଶା ସ୍କୁଲ୍‌ ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅଥରିଟି ବା ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସରକାରୀ ସ୍କୁଲରେ ‘ୟୁନିଫର୍ମ କଲର୍‌’ ଆପଣାଇବା ପାଇଁ ସରକାରୀ ଚିଠି ହେବା ସହ ‘କଲର୍‌ କୋଡ୍’ ମଧ୍ୟ ସ୍ଥିର କରାଯାଇଛି ।

କେବଳ ଏତିକି ନୁହେଁ ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ମଧ୍ୟ ନୂଆ ରଙ୍ଗ କୋଡ୍‌ ଅନୁସାରେ ସ୍ଥିର ହେବ । ଏହା ସହ ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣା ବେଳେ ତା’ର ରଙ୍ଗକୁ ମଧ୍ୟ ବଦଳାଯିବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଓସେପା ପକ୍ଷରୁ ଚିଠି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।