fbpx

Poll Counting-2024; ୨୦୨୪ ନିର୍ବାଚନରେ ରେକର୍ଡ ଭାଙ୍ଗିଲା ‘ନୋଟା’: ୧ ଲକ୍ଷରୁ ଅଧିକ ଭୋଟରେ କବଜା

Advertisement

ଓଡ଼ିଶା ଭାସ୍କର: ସାରା ଦେଶର ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଭୋଟ ଗଣତି ଜାରି ରହିଛି । ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ସହ ସମର୍ଥକ ବି ଫଳାଫଳକୁ ଅପେକ୍ଷା କରି ରହିଛନ୍ତି । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାହାକୁ ଅପେକ୍ଷା କରି ରହିଛନ୍ତି ଜନତା । କିନ୍ତୁ ମଧ୍ୟପ୍ରଦେଶର ଇନ୍ଦୋର ଆସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଏଠି ବିଜେପି, କଂଗ୍ରେସ କିମ୍ବା କୌଣସି ଆଞ୍ଚଳିକ ଦଳ ଜନତାଙ୍କ ହୃଦୟ ଜିତି ପାରି ନାହିଁ । ଇନ୍ଦୋରରେ ‘ନୋଟା’(ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ) ଉପରେ ଭରସା ଦେଖାଇଛନ୍ତି ସାଧାରଣ ଭୋଟର । ଏହାସହିତ ଏକ ବିଶାଳ ରେକର୍ଡ ସୃଷ୍ଟି କରିଛି ‘ନୋଟା’ ।

ଚଳିତବର୍ଷ ନିର୍ବାଚନରେ ‘ନୋଟା’ ବର୍ତ୍ତମାନ ସୁଦ୍ଧା ଇନ୍ଦୋରରେ ମୋଟ ୧ ଲକ୍ଷରୁ ଅଧିକ ଭୋଟ ହାସଲ କରିସାରିଛି । ଏଥିସହିତ ୨୦୧୯ ନିର୍ବାଚନରେ ବିହାରର ଗୋପାଳଗଞ୍ଜରେ ହୋଇଥିବା ରେକର୍ଡ ମଧ୍ୟ ଭାଙ୍ଗିଛି । ବିହାରରେ ‘ନୋଟା’ ସର୍ବାଧିକ ୫୧,୬୬୦ ମତଦାତାଙ୍କ ସମର୍ଥନ ପାଇଥିବା ବେଳେ ଏଥର ‘ନୋଟା’କୁ ୧ ଲକ୍ଷରୁ ଅଧିକ ଭୋଟ ମିଳିଛି । ୨୦୧୯ରେ ସମ୍ପୂର୍ଣ୍ଣ ମତଦାତାଙ୍କ ୫% ଭୋଟ ‘ନୋଟା’କୁ ମିଳିଥିଲା । ପ୍ରତିଷ୍ଠିତ ରାଜନୈତିକ ଦଳମାନଙ୍କୁ ପାଶୋରି ‘ନୋଟା’ରେ ମୋହର ମାରିଛନ୍ତି ଭୋଟର । ତେବେ ଇନ୍ଦୋରରେ ବିଜେପି ପ୍ରାର୍ଥୀ ଶଙ୍କର ଲାଲଭାନୀ ବିପକ୍ଷ ଦଳକୁ ଚକମା ଦେଇ ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଲାଲଭାନୀ ମୋଟ ୫,୨୪,୩୨୦ ଭୋଟ ପାଇଥିବା ବେଳେ ବହୁଜନ ସମାଜ ପାର୍ଟିର ସଞ୍ଜୟ ସୋଲାଙ୍କି ତାଙ୍କଠାରୁ ୩,୬୦,୫୪୬ ଭୋଟ ପଛରେ ରହିଛନ୍ତି । ଏଠାରେ ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ଲଢେଇ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.