fbpx

OPGCରୁ ଅଂଶଧନ ବିକ୍ରି କରିବେ ରାଜ୍ୟ ସରକାର: ବିଡ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି)ରୁ ରାଜ୍ୟ ସରକର ଅଂଶଧନ ବିକ୍ରି କରିବେ । ତେବେ ୪୯ ପ୍ରତିଶତ ଅଂଶଧନ ବିକ୍ରି ନେଇ ରାଜ୍ୟ ସରକାର ବିଡ୍ ଆହ୍ୱାନ କରିଛନ୍ତି । ବିଦ୍ୟୁତ କେନ୍ଦ୍ର ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ସହିତ ଟେକ୍ନିକାଲ ଜ୍ଞାନ ଓ ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ଥିବା ସଂସ୍ଥାକୁ ଏହା ବିକ୍ରି କରିବା ନେଇ ସ୍ଥିର ହୋଇଛି ।

ତେବେ ଉଭୟ ସରକାରୀ କିମ୍ବା ଘରୋଇ ଅନୁଷ୍ଠାନମାନେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ସୁଦ୍ଧା ବିଡ୍ ପାଇଁ ଆବେଦନ କରିପାରିବେ । ଏ ବାବଦରେ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତାପଜ ବିଦ୍ୟୁତ କେନ୍ଦ୍ର ପରିଚାଳନା ଲକ୍ଷ୍ୟ ନେଇ ଗତ ୧୯୮୪ ମସିହାରେ ଓପିଜିସି ପ୍ରତିଷ୍ଠା ହୋଇଥିଲା । ଓପିଜିସିର ୪୯ ପ୍ରତିଶତ ଅଂଶଧନ ଗତ ଦୁଇବର୍ଷ ପୂର୍ବରୁ ଏକ ଆମେରିକୀୟ କମ୍ପାନୀ ଏଇଏସ ହାତରେ ରହିଛି । ମାତ୍ର ଉକ୍ତ କମ୍ପାନୀର ପରିଚାଳନାଗତ ତ୍ରୁଟି କାରଣରୁ ରାଜ୍ୟ ସରକାର ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଓପିଜିସିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଅଂଶଧନ ରହିଥିବା େବେଳ ଗତ ୨୦୨୦ ଡିସେମ୍ବର ମାସରେ ଏଇଏସ ନିକଟରୁ ଓଏଚପିସି ଜରିଆରେ ୪୯ ପ୍ରତିଶତ ଅଂଶଧନ କ୍ରୟ କରାଯାଇଥିଲା । ଫଳରେ ଗତ ଦୁଇ ବର୍ଷ ଧରି ଓପିଜିସିରେ ବିଶେଷ ସମସ୍ୟା ଦେଖାଦେଇ ନଥିଲା । ତେବେ ରାଜ୍ୟ ସରକାର ଏହି ଲାଭଜନକ ସଂସ୍ଥାରୁ ୪୯ ପ୍ରତିଶତ ଅଂଶଧନ ବିକ୍ରି ନେଇ ନିଷ୍ପତ୍ତି ନେଇଛନ୍ତି । ଦୁଇଟି ପର୍ଯ୍ୟାୟପରେ ଓପିଜିସିକୁ ଘରୋଇକରଣ କରାଯିବ । ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ବିଦ୍ୟୁତ ଉତ୍ପାଦନ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି । ତେଣୁ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି ।

Get real time updates directly on you device, subscribe now.