ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ । ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ଏନେଇ ଓସେପା ୱେବସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିଲା ବେଳେ, ଅକ୍ଟୋବର ୧୦ ଶେଷ ତାରିଖ ରହିଛି।
ଆଶାୟୀ ପ୍ରାଥୀମାନେ ଯେଉଁମାନେ ଆବଶ୍ୟକ ଯୋଗ୍ୟତା ରଖୁଛନ୍ତି ସେମାନେ ଓସେପା ୱେବସାଇଟ୍ https://osepa.odisha.gov.in ରେ ଯାଇ ଆବେଦନ କରିପାରିବେ। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ନିଯୁକ୍ତିର ସମସ୍ତ ସୂଚନା ଓସେପାର ୱେବସାଇଟରେ ଜାରି କରାଯାଇଛି। ଅନଲାଇନ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଡି) ମୋଡ଼ରେ ଏହି ନିଯୁକ୍ତି ପରୀକ୍ଷା କରାଯିବ । ଓସେପାରେ ୱେବସାଇଟ୍ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି।
ଏହା ବ୍ୟତୀତ ଅନ୍ୟକୌଣସି ମାଧ୍ୟମରେ ଆବେଦନକୁ ସ୍ୱୀକାର କରାଯିବ ନାହିଁ। ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ। ଏହା ପରେ ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ। ଅନଲାଇନରେ ଆବେଦନ ଜନିତ କୌଣସି ସମସ୍ୟା ଦେଖାଦେଲେ ଆଶାୟୀମାନେ ହେଲ୍ପଡେସ୍କ୍ ନମ୍ବର: ୭୩୫୩୯ ୨୭୭୭୯ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ।
ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ଭାବେ ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜଣେ ନୋଡାଲ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ନିଯୁକ୍ତି ପାଇବା ପରେ ଶିକ୍ଷକମାନେ ଜିଲ୍ଲା ପରିଷଦ ଅଧିନରେ ରହିବେ ଓ ବାର୍ଷିକ ଚୁକ୍ତି ସମାପ୍ତ ହେବା ପରେ ସେମାନଙ୍କର ନବୀକରଣ କରାଯିବ । ସେମାନେ ମାସିକ ପାରିଶ୍ରମିକ ପାଇବେ । ତେବେ ଦକ୍ଷତା ନଥିଲେ ଶିକ୍ଷକଙ୍କୁ ୩୦ ଦିନର ନୋଟିସ୍ ଦିଆଯାଇ କାର୍ଯ୍ୟରୁ ଅନ୍ତର କରିଦିଆଯିବ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏହି ଦକ୍ଷତା ନିର୍ଦ୍ଧାରଣ କରିବେ ।