fbpx

ପ୍ରତ୍ୟେକ ଗାଁରେ ଖୋଲିବ କୋଭିଡ୍ ଟିକାକରଣ କେନ୍ଦ୍ର, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡର ଦ୍ୱିତୀୟ ଡୋଜ୍ ଟିକାକରଣ ଧିମେଇ ଯାଇଛି । ବାରମ୍ବାର ଏସଏମଏସ୍ ଓ ସଚେତନତା ପରେ ବି ଟିକାକରଣ ସଂଖ୍ୟା ବଢ଼ୁନାହିଁ । ବିଶେଷ କରି ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେଣୁ ହିତାଧିକାରୀମାନେ କିଭଳି ଅଧିକମାତ୍ରାରେ ଟିକା ନେବେ ସେଥିପାଇଁ ସରକାର ଗାଁରେ ଟିକାକରଣ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଜଣାପଡ଼ିଛି ଯେ, ରାଜ୍ୟରେ ଏବେ ବି ୨୪.୮ ଲକ୍ଷ ହିତାଧିକାରୀ କୋଭିଡର ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ଦିନକୁ ଦିନ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି । ଫଳରେ ଏହାର ପ୍ରଭାବ ମୋଟ ଟିକାକରଣ ସଂଖ୍ୟା ଉପରେ ପଡ଼ୁଛି । ଟିକା ନ ନେବା ଫଳରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା କୁହାଯାଉଛି । ଭିନ୍ନକ୍ଷମ ଓ ଟିକାକରଣ କେନ୍ଦ୍ରକୁ ଆସି ପାରୁନଥିବା ବ୍ୟକ୍ତିଙ୍କୁ ଘରକୁ ଯାଇ ଟିକାକରଣ କରାଇବାକୁ ପୂର୍ବରୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି । ତେବେ ରାଜ୍ୟର କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଲୋକ ଦ୍ୱିତୀୟ ଡୋଜ୍ ନେଇହାନ୍ତି, ତାହାର ଏକ ଲିଷ୍ଟ ପ୍ରସ୍ତୁତ କରାଯିବ । ଏହି ତାଲିକାକୁ ଆଧାର କରି ଆଶାକର୍ମୀମାନେ ହିତାଧିକାରୀଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ । ଲୋକସଂଖ୍ୟାକୁ ଅନୁଧ୍ୟାନ କରି ଗ୍ରାମମାନଙ୍କରେ ଟିକାକରଣ କେନ୍ଦ୍ର ସ୍ଥାପନ କରାଯିବ ବୋଲି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.