ଏଣିକି ପୋଷଣ କେନ୍ଦ୍ରରେ ମିଳିବ ରାସନ, କେନ୍ଦ୍ର ଓ ରାଜ୍ୟ ଉଭୟ ଦେବେ ସବ୍‍ସିଡି

ଭୁବନେଶ୍ୱର : ରାଜ୍ୟରେ ଥିବା ପୋଷଣ କେନ୍ଦ୍ରଗୁଡ଼ିକରେ ସବ୍‍ସିଡିରେ ରାସନ ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଦିଲ୍ଲୀ, ଗୁଜୁରାଟ ଢାଞ୍ଚାରେ ଖୁବ୍‍ ଶୀଘ୍ର ପୋଷଣ କେନ୍ଦ୍ର ଖୋଲାଯିବ । ୩୫ଟି ସ୍ଥାନରେ ପାଇଲଟ୍‍ ପ୍ରକଳ୍ପ ଆରମ୍ଭ ହେବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବ୍‍ସିଡି ପ୍ରଦାନ କରିବେ । ହିତାଧିକାରୀମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର କାର୍ଡ ମିଳିବ ।

ବିଭାଗର ଏକ ଦଳ ଦିଲ୍ଲୀ ଓ ଗୁଜୁରାଟ ଯାଇ ସେଠାରେ ଚାଲିଥିବା ପୋଷଣ କେନ୍ଦ୍ରର ଅନୁଧ୍ୟାନ କରିବା ପରେ ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲିବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଖୁବ୍‍ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଏହା ସହ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନକାର୍ଡକୁ ନେଇ କହିଛନ୍ତି, ରାଜ୍ୟରେ ହଠାତ୍ କାହାର ରାସନକାର୍ଡ କଟାଯିବନି । ୩୦ ଲକ୍ଷ ୭୩୪ ଲୋକ e-KYCକରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ e-KYC କରିନାହାନ୍ତି । ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଯାଞ୍ଚ କରାଯିବ । ୬ ଲକ୍ଷ ୩୫ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଛି । ଏପ୍ରିଲ ୧୫ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ । ସରକାର ନୂଆ ପୋର୍ଟାଲ ଖୋଲିଛନ୍ତି । ଏଥିରେ ୫୦ ହଜାର ଆବେଦନ ଆସିଛି । ସର୍ଭେ ପରେ ନୂଆ ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।