fbpx

OAS ଢାଞ୍ଚାରେ ହେବ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଯିବ ଓଡ଼ିଶାରେ ଶିକ୍ଷାର ମାନଚିତ୍ର । ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦବୀ ପୂରଣ ହେବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଇ ହଜାର ହଜାର ବିଦ୍ୟାଳୟଗୁଡ଼ିକରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଫଳରେ ଖାଲି ପଡ଼ୁଥିବା ଶିକ୍ଷକ ପଦଗୁଡ଼ିକ ଖୁବଶୀଘ୍ର ପୂରଣ ହେବା ସହ ରାଜ୍ୟରେ ଶିକ୍ଷକ ଅଭାବ ଦୂର ହୋଇପାରିବ । ବିଶେଷଜ୍ଞ ଓ ଶିକ୍ଷାବିତମାନେ ଏହା ସପକ୍ଷରେ ମତ ଦେଇଥିବା ବେଳେ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା ଢାଞ୍ଚାରେ ପ୍ରତ୍ୟେକ ବର୍ଷ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ଦିଆଯିବ । ଗୋଟିଏପଟେ ପ୍ରତ୍ୟେକ ବର୍ଷ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହେଉ ନଥିବା ବେଳେ ଅନ୍ୟପଟେ ପ୍ରତ୍ୟେକ ମାସରେ ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ଅବସର ନେଉଛନ୍ତି । ଫଳରେ ସାରା ରାଜ୍ୟରେ ଶିକ୍ଷକ ସଙ୍କଟ ଦେଖାଦେବା ସହ ଶିକ୍ଷାର ଗୁଣାତ୍ମକ ମାନ ଭୁଶୁଡ଼ି ପଡ଼ୁଛି । ରାଜ୍ୟରେ ଓଏଏସ୍ ପରୀକ୍ଷା ଯେଉଁଭଳି ଭାବେ କରାଯାଉଛି, ଉକ୍ତ ଢାଞ୍ଚାରେ ଶିକ୍ଷକ ନିଯୁକ୍ତି କରାଯିବ । କେଉଁ ବିଦ୍ୟାଳୟରୁ କେତେ ଶିକ୍ଷକ ଅବସର ନେଉଛନ୍ତି, ତାହାର ତଥ୍ୟ ଏକତ୍ର କରାଯାଇ ତାହାକୁ ଆଧାର କରି ପଦ ପୂରଣ ପ୍ରକ୍ରିୟା ଆଗକୁ ବଢ଼ାଯିବ । ପ୍ରତ୍ୟେକ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ କରାଯିବ । ଦୀର୍ଘ ଅବଧି ପରେ ରାଜ୍ୟରେ ଚଳିତ ବର୍ଷ ୧୧ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିଥିଲା । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ନିର୍ଦ୍ଦେଶ ଦେଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି । ତେବେ ଏହି ନିଯୁକ୍ତି ନେଇ ସରକାରୀ ସ୍ତରରେ କାର୍ଯ୍ୟାରମ୍ଭ ହୋଇସାରିଥିବା ବେଳେ ସରକାର ଏନେଇ କୌଣସି ଘୋଷଣା କରିନାହାନ୍ତି । ପ୍ରଶାସନିକ ସ୍ତରରେ ଆଲୋଚନା ସରିଥିବା ବେଳେ ଖୁବଶୀଘ୍ର ଏ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.