fbpx

NPS ନିବେଶକଙ୍କ ପାଇଁ ବଡ଼ ସୂଚନା, ଫଣ୍ଡ ଆବଣ୍ଟନ ନିୟମ ପରିବର୍ତ୍ତନ କଲା PFRDA

ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏନପିଏସ ନିବେଶକଙ୍କୁ ଉଚ୍ଚ ରିଟର୍ଣ୍ଣ ମିଳିବାର ସମ୍ଭାବନା ବଢ଼ିଯାଇଛି । ପେନସନ ଫଣ୍ଡ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫଆରଡିଏ) ମୁତାବକ, ଏଣିକି ଅଂଶଧାରକ ୫୧ ବର୍ଷ ବୟସ ଅତିକ୍ରମ କରିବା ପରେ ନିଜର ପସନ୍ଦ ଅନୁଯାୟୀ ଟିୟର ୧ ଖାତାରେ ଶେୟାରରେ ନିବେଶ କରିପାରିବେ । ଏଥିପାଇଁ ସେମାନଙ୍କୁ ଅଂଶଧନ ହ୍ରାସ କରିବା ପାଇଁ କୌଣସି ସର୍ତ୍ତ ମାନିବାକୁ ପଡ଼ିବ ନାହିଁ ।

ପିଏଫଆରଡିଏ ପକ୍ଷରୁ ଜାରି ଅଧିସୂଚନା ମୁତାବକ, ଟିୟର ୧ ଓ ଟିୟର ୨ ଖାତା ପାଇଁ ଇକ୍ୱିଟିରେ ନିବେଶ ନିୟମ ପରିବର୍ତ୍ତନ କରାଯାଇଛି । ଏନପିଏସ ଅଂଶଧାରୀଙ୍କୁ ଇକ୍ୱିଟିରେ ନିବେଶ ପାଇଁ ଦୁଇଟି ବିକଳ୍ପ ମିଳିଥାଏ, ଅଟୋ ଚଏସ ଓ ଆକ୍ଟିଭ ଚଏସ । ନୂଆ ନିୟମ ଅନୁଯାୟୀ, ଟିୟର ୧ ଖାତାରେ ନିବେଶ ନିୟମ ବଦଳି ଯାଇଛି । ଅଂଶଧାରୀଙ୍କୁ ଆକ୍ଟିଭ ଚଏସ ଅଧିନରେ ଟିୟର ୨ ଖାତାରେ ୧୦୦ ପ୍ରତିଶତ ରାଶି ଇକ୍ୱିଟିରେ ଟ୍ରାନ୍ସଫର କରିବାର ବିକଳ୍ପ ଦିଆଯାଇଛି ।

ନିର୍ଦ୍ଧାରିତ ସମୟରେ ଏନପିଏସ ଅଂଶଧାରୀଙ୍କୁ ଯେ କୌଣସି ଏକ ପଞ୍ଜୀକୃତ ପେନସନ ଫଣ୍ଡ ବାଛିବାକୁ ପଡ଼ିଥାଏ । ଏନପିସି ତରଫରୁ ଦୁଇ ପ୍ରକାରର ଖାତା ଖୋଲା ଯାଇଥାଏ । ଗୋଟିଏରେ ଟିୟର ୧ ଖାତା ବାଧ୍ୟତାମୂଳକ ହୋଇଥାଏ ଓ ଏଥିରେ ଜମା ଥିବା ରାଶି ଆଧାରରେ ପେନସନ ସ୍ଥିର ହୋଇଥାଏ, ଅବସର ପରେ ଏଥିରୁ ଅର୍ଥରାଶି କାଢ଼ି ପାରିବେ । ଅନ୍ୟପକ୍ଷରେ ଟିୟର ୨ ଖାତା ବଚତ ଖାତା ପରି ହୋଇଥାଏ । ଆପଣଙ୍କ ପାଖରେ ଟିୟର ୧ ଖାତା ଥିଲେ ଏହି ଖାତା ଖୋଲି ପାରିବେ । ଏଥିରୁ ଯେ କୌଣସି ସମୟରେ ଅର୍ଥ କାଢ଼ି ପାରିବେ ।

Get real time updates directly on you device, subscribe now.