(Video) ମହିଳା OAS ଅଧିକାରୀଙ୍କୁ ଧୋକ୍କା: ସ୍ୱାମୀ କମ୍ପାନୀ ମ୍ୟାନେଜର ଚାକିରି କରିନାହାନ୍ତି, ବିବାହ ପରେ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବିବାହକୁ ନେଇ ଅନେକ ଠକାମି ଦେଖିବାକୁ ମିଳିଛି । କେଉଁଠି ବିବାହିତ ପୁରୁଷ ମିଛ କହି ଆଉ ଜଣେ ଯୁବତୀଙ୍କୁ ବିବାହ କରୁଛି ତ ଆଉ କେଉଁଠି ବିବାହିତା ମହିଳା ଆଉ ଜଣେ ପୁରୁଷଙ୍କୁ ବିବାହ କରୁଛନ୍ତି । ଅନେକ ସମୟରେ କିଛି ଯୁବକ ମିଛ କହି ବିବାହ କରି ପରେ ଧରାପଡ଼ୁଛନ୍ତି । ତେବେ ବିବାହ ପୂର୍ବରୁ ପ୍ରତିପକ୍ଷଙ୍କ ସଠିକ୍ ଖବର ନ ରଖିଲେ ପରବର୍ତ୍ତୀ ସମୟରେ ଏଭଳି ଅନେକ ବଡ଼ ସମସ୍ୟା ଦେଖିବାକୁ ମିଳୁଛି ।

ସୂଚନା ମୁତାବକ, ଜଣେ ମହିଳା ଓଏଏସ ଅଧିକାରୀ ମାଟ୍ରିମୋନି ସାଇଟ ଜରିଆରେ ଜଣେ ଯୁବକଙ୍କୁ ବାଛିଥିଲେ । ଉକ୍ତ ଯୁବକ ନାଲକୋ କମ୍ପାନୀରେ ମ୍ୟାନେଜର ଚାକିରି କରିଥିବାରୁ ମହିଳା ଅଧିକାରୀ ତାଙ୍କୁ ବିବାହ କରିବାକୁ ରାଜି ହୋଇଯାଇଥିଲେ । ଏହା ଫଳରେ ଗତ ଫେବୃଆରୀ ମାସ ୯ ତାରିଖରେ ଉଭୟଙ୍କ ମଧ୍ୟରେ ବଡ଼ ଧୁମଧାମରେ ବିବାହ ହୋଇଥିଲା ।

ତେବେ ବିବାହର କିଛିଦିନ ପରେ ସ୍ୱାମୀଙ୍କ ଚାକିରିକୁ ନେଇ ତାଙ୍କର ସ୍ତ୍ରୀ ସନ୍ଦେହ ପ୍ରକାଶ କରିଥିଲେ । ତେଣୁ ସେ ସ୍ୱାମୀଙ୍କୁ ଚାକିରିର ପ୍ରମାଣପତ୍ର ଓ ଠିକଣା ମାଗିଥିଲେ । ତେବେ ସ୍ୱାମୀ ଏହାକୁ କୌଣସି ବାହାନା କରି ଏଡ଼ାଇ ଦେଇଥିଲେ । ଏହାପରେ ଶାଶୂ-ଶ୍ୱଶୁରଙ୍କୁ ଏହି କଥା କହିବାରୁ ସେ ମଧ୍ୟ ସଠିକ୍ ଉତ୍ତର ଦେଇ ପାରିନଥିଲେ । ତେବେ ଚାରିଆଡ଼ୁ ନିରାଶ ହୋଇ ଶେଷରେ ମହିଳା ଅଧିକାରୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉଚ୍ଚ ପଦରେ ଚାକିରି କରିଥିବା ଅନେକ ଯୁବକ କିଛି ଯୁବତୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହ କରୁଥିବା ଦେଖାଯାଉଛି ।