ଭୁବନେଶ୍ୱର: ଖୁବଶୀଘ୍ର ଯାତ୍ରାକୁ ନେଇ ଆସିବ ଗାଇଡଲାଇନ୍ । ଯାତ୍ରା ପେଣ୍ଡାଲରେ ବାରମ୍ବାର ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିରୋଧ ହେବା ପରେ କଡ଼ା ନିଷ୍ପତ୍ତି ନିଆଯିବ । ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ତାଗିଦ କରିବା ପରେ ସଂସ୍କୃତି ମନ୍ତ୍ରୀ ଏଥିପାଇଁ ଚେତାବନୀ ଜାରି କରିଛନ୍ତି । ଖୁବଶୀଘ୍ର ଯାତ୍ରା ପାଇଁ ନିର୍ଦ୍ଦେଶାବଳୀ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ପାଇଁ ଆଗାମୀ ଦିନରେ ଆସିବ କଡ଼ା ଆଇନ୍ । ଏଥିପାଇଁ ଆଇନ ବିଭାଗକୁ ସଂସ୍କୃତି ବିଭାଗର ସମ୍ପୂର୍ଣ୍ଣ ସହାୟତା ରହିବ । ଯାତ୍ରାରେ ମଞ୍ଚଳରେ ବଢୁଥିବା ଅଶ୍ଳୀଳତା ପାଇଁ କେବଳ କମିଟିକୁ ଦାୟୀ କରାଯାଇ ପାରିବ ନାହିଁ । ଏଥିପାଇଁ ଅନେକ ମାତ୍ରାରେ ଦର୍ଶକମାନେ ମଧ୍ୟ ଦାୟୀ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକାଶ କରିଛନ୍ତି । ଅଶ୍ଳୀଳତାକୁ ବନ୍ଦ କରିବା ପାଇଁ ହେଲେ ପ୍ରଥମେ ମାନସିକତାରେ ସ୍ୱଚ୍ଛତା ଆଣିବାକୁ ହେବ । ଏହାପରେ ଯାତ୍ରାରେ ଅଶ୍ଳୀଳତା କମ୍ ହୋଇପାରିବ । ତେଣୁ ଖୁବଶୀଘ୍ର ଏଥିପାଇଁ ପଦକ୍ଷେପ ନିଆଯିବା ସହ ନୂଆ ଗାଇଡଲାଇନ ଜାରି କରାଯିବ ବୋଲି କୁହାଯାଇଛି ।