ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୨ର କଟ୍ ଅଫ୍ ମାର୍କ ଘୋଷଣା କରାଯାଇଛି । ଓସିଏସ-୨୦୨୨ରେ ଚୟନ ହୋଇଥିବା ବିଭିନ୍ନ କ୍ୟାଟେଗୋରୀ ଓ ସବ-କ୍ୟାଟୋଗୋରୀ ପାଇଁ କଟ୍ ଅଫ୍ ମାର୍କ ଘୋଷଣା କରାଯାଇଛି । ଏଥିସହିତ ଓସିଏସ-୨୦୨୨ର ମୁଖ୍ୟ ଲିଖିତ ପରୀକ୍ଷା ଓ ପର୍ସନାଲିଟି ଟେଷ୍ଟର ମଧ୍ୟ କଟ୍ ଅଫ୍ ମାର୍କ ଘୋଷଣା କରାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଏକ ନୋଟିସ୍ ଜାରି କରାଯାଇଛି ।
ସୂଚନାଯୋଗ୍ୟ ଯେ, ନିକଟରେ ଓସିଏସ-୨୦୨୨ର ଫଳାଫଳ ପ୍ରକାଶ ପାଇଥିଲା । ମୋଟ ୬୮୩ ଜଣ ପ୍ରାର୍ଥୀ ଏଥିରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫୮ ଜଣ ମହିଳା ରହିଥିଲେ । ଓସିଏସ-୨୦୨୨ ପରୀକ୍ଷାରେ ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଥିଲେ । ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ ସ୍ଥାନରେ ଓ ଦୀପ୍ତି ରଞ୍ଜନ ପତି ତୃତୀୟ ସ୍ଥାନରେ ରହିଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ଗ୍ରୁପ-ଏ ଓ ଗ୍ରୁପ-ବି)ରେ ନିଯୁକ୍ତି ଦିଆଯିବ । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କର ଏକ ଲିଷ୍ଟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଅଫିସିଆଲ ୱେବସାଇଟରେ ଜାରି କରାଯାଇଥିଲା । ଗତ ଫେବୃଆରୀ ମାସ ୨୫, ୨୬, ୨୮ ଓ ମାର୍ଚ୍ଚ ମାସ ୧, ୩ ତାରିଖରେ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଗତ ସେପ୍ଟେମ୍ବର ମାସ ୧୦ ଓ ଅକ୍ଟୋବର ମାସ ୭ ତାରିଖରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।