fbpx

OCS ଓ OJS ପରୀକ୍ଷା ରେଜଲ୍ଟ ବିଳମ୍ବରେ ପ୍ରକାଶ ପାଇବ: ପ୍ରାଧ୍ୟାପକ ସଙ୍କଟ ଦୂର ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ଓ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରାଶାଜନକ ଖବର । ଓସିଏସ ଓ ଏଜେଏସ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହେବ । ପରୀକ୍ଷାର୍ଥୀଙ୍କ ବିଷୟ ଭିତ୍ତିକ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାଧ୍ୟାପକ ଅଭାବ ଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା କୁହାଯାଉଛି ।

ତେବେ ଏହି ସମସ୍ୟାକୁ ନେଇ ଓପିଏସସି ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଦକ୍ଷ ପ୍ରାଧ୍ୟାପକଙ୍କ ତାଲିକା ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଛି । ତାଲିକାଭୁକ୍ତ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକମାନଙ୍କୁ ଅନ୍ତତଃ ୧୦ ଦିନ ପାଇଁ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ପତ୍ରରେ ଦର୍ଶାଯାଇଛି ।

ପ୍ରାଧ୍ୟାପକଙ୍କ ସଙ୍କଟ କାରଣରୁ ଓପିଏସସି ଅଗଷ୍ଟ ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିଲା । ଚିଠିରେ ଦର୍ଶାଯାଇଛି, ବିଷୟ ଭିତ୍ତିକ ମୂଲ୍ୟାୟନ ପାଇଁ ଓପିଏସସି ନାନା ସମସ୍ୟାର ସମ୍ମୁଖୀନ ହେଉଛି । ଫଳରେ ଓସିଏସ ଓ ଓଜେଏସ ପରୀକ୍ଷା ଦେଇଥିବା ଆଶାୟୀଙ୍କ ଖାତା ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ କରିବାରେ ସମସ୍ୟା ଉପୁଜିଛି । ତେବେ କୃଷି, ନୃତତ୍ତ୍ୱ, ଅର୍ଥନୀତି, ଆଇନ, ଭୂଗୋଳ, ପରିସଂଖ୍ୟାନ ଏପରି ୩୨ଟି ବିଷୟର ତାଲିକା ଓପିଏସସି ସଂଲଗ୍ନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.