ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅସ୍ମିତା ଶିବିର: ଉଦଘାଟନ କଲେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଓଡ଼ିଆ ଅସ୍ମିତା ଶିବିର ୨୦୨୪ ଉଦ୍‌ଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରିଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ୟ୍ୟବଂଶୀ ସୂରଜ ଉଦ୍‌ଘାଟକ ଭାବେ ଯୋଗଦେଇ ଓଡ଼ିଶାର ସଂସ୍କୃତି, ପରମ୍ପରା , କଳା, ସାହିତ୍ୟ ଓ ସୃଜନଶୀଳତାକୁ ନେଇ ନିଜର ଅସ୍ମିତାକୁ ପ୍ରତିପାଦିତ କରିବା ଆଜିର ଯୁବ ସମାଜ ପାଇଁ ଏକ ଆହ୍ବାନ ବୋଲି କହିଥିଲେ। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମେ ଓଡ଼ିଆ ଭାଷା ପ୍ରତି ଆତ୍ମୀୟତା ବୃଦ୍ଧି କରିବା ସହ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ପ୍ରୟୋଗକୁ ଗୁରୁତ୍ବ ଦେବା ଉଚିତ।

ସଂପ୍ରତି ଓଡ଼ିଶାରେ ପ୍ରଚଳିତ ଜାତୀୟ ଶିକ୍ଷା ନୀତି ଅନୁସାରେ ମାତୃଭାଷାରେ ଶିକ୍ଷାଦାନକୁ ଗୁରୁତ୍ବ ଦିଆଯାଇଛି। ଯାହାଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ସହ ସୃଜନଶୀଳତାର ଅଭ୍ୟୁଦୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ତଥା ସିନେତାରକା ଶ୍ରୀଯୁକ୍ତ ଅକାଶ ଦାଶନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଜାତିର ମହାନ ଐତିହ୍ୟ ସମ୍ପର୍କରେ ଆଜିର ଯୁବ ସମାଜ ଅଧିକରୁ ଅଧିକ ଜାଣିବା ସହ ଆଗାମୀ ଦିନରେ ନିଜର ସାମାଜିକ କର୍ତ୍ତବ୍ୟ ସହ ଆମ ସଂସ୍କୃତିର ସାମୂହିକ ପ୍ରଚାର ଓ ପ୍ରସାର ନିମନ୍ତେ ଆଗଭର ହେବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ସେବା ଯୋଜନା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆେୟାଜିତ ଏହି ତିନିଦିନିଆ ଶିବିର ସେମାନଙ୍କ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ବିଭବ ସମ୍ପର୍କରେ ଆବଶ୍ୟକୀୟ ଜ୍ଞାନର ଉେଦ୍ରକ କରିବା ସହ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ପ୍ରତିପାଦିତ କରିବା ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ବୋଲି ମତ ଦେବା ସହ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଆସିଥିବା ସ୍ବେଚ୍ଛାସେବୀମାନଙ୍କୁ ସେମାନଙ୍କ ଓଡ଼ିଶା ପ୍ରତି ସାମାଜିକ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସଚେତନ କରିବ ବୋଲି ମତ ଦେଇଥିଲେ।

ଓଡ଼ିଶା ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦେ୍ଦଶିକା ସୁଶ୍ରୀ ସରିତା ପଟେଲ ତାଙ୍କ ବକ୍ତବ୍ୟରେ ଏହି ଯୁବ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ଷଡଙ୍ଗୀ ଏହିଭଳି ଏକ ଅଭିନବ ଶିବିର ଓଡ଼ିଶାର ଯୁବଶକ୍ତିର ସାଂସ୍କୃତିକ ଓ ସାମାଜିକ ପ୍ରତିଭାକୁ ବିକାଶ ପଥରେ ଆଗେଇ ନେବା ସହ ଆଗାମୀ ଦିନରେ ଆମ ଯୁବ ପ୍ରତିଭାଙ୍କ ଦକ୍ଷତାକୁ ପ୍ରତିପାଦିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ସୁଶ୍ରୀ ବର୍ଣ୍ଣାଳୀ ହୋତା ନିଜ ସଫଳତା ସମ୍ପର୍କରେ ସୂଚନା ଦେବା ସହ ଓଡ଼ିଶାର ଯୁବଶକ୍ତି ଆଗାମୀ ଦିନରେ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମତଦେଇଥିଲେ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ତାଙ୍କ ବକ୍ତବ୍ୟରେ ବିଗତ ୨୫ ବର୍ଷରେ ପ୍ରଥମଥର ପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏହିଭଳି ଏକ ଐତିହାସିକ ତଥା ରାଜ୍ୟସ୍ତରୀୟ ଯୁବମହୋତ୍ସବ ଆୟୋଜନ ଜରିଆରେ ସାରା ଓଡ଼ିଶାକୁ ଏକ ନୂତନ ସାଂସ୍କୃତିକ ବାର୍ତ୍ତା ନିଶ୍ଚିତ ପ୍ରେରଣ କରିବା ସହ ଆମ ଯୁବ ପ୍ରତିଭାଙ୍କ ସଫଳତାକୁ ବିଶ୍ବଦରବାରରେ ପହଞ୍ଚାଇବ ବୋଲି ମତବ୍ୟକ୍ତ କରିଥିଲେ।

କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିବା ବେଳେ କାର୍ୟ୍ୟକ୍ରମକୁ ଡ. ସଂଦୀପ କୁମାର ରାଉତ ଓ ଜ୍ଞାନ ରଞ୍ଜନ ପଣ୍ଡା ସେଂଯାଜନା କରିଥିଲେ। ଗୁରୁ ଡ. ଧୀରଜ କୁମାର ମହାପାତ୍ରଙ୍କ ନିର୍ଦେ୍ଦଶନାରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ଛାତ୍ରୀମୋନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବାବେଳେ ୨୩ଟି ବିଶ୍ବବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ କାର୍ୟ୍ୟକ୍ରମ ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ ।