fbpx
BJD
BJD SKY
BJD SKY

‘ନାସା’ରେ ଗବେଷଣା କରିବା ପାଇଁ ମନୋନୀତ ହେଲେ ଓଡ଼ିଆ ଝିଅ ଈପସିତା: ବିଷୁବ ରେଖା ଅଞ୍ଚଳରେ ‘ପ୍ଲାଜମା ବବୁଲ’ର ସୃଷ୍ଟି ଉପରେ କରିବେ ଗବେଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ଜଣେ ଓଡ଼ିଆ ଝିଅ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା)ରେ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣା ଗ୍ରାମର ଈପସିତା କଟୁଆଳ ରାଜ୍ୟ ପାଇଁ ଏହି ସୌଭାଗ୍ୟ ଆଣିଛନ୍ତି । ଈପସିତା ବର୍ତ୍ତମାନ ନଭି ମୁମ୍ବାଇ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓମାଗ୍ନେଟିଜିମ (ଆଇଆଇଜି)ରେ ବରିଷ୍ଠ ରିସର୍ଚ୍ଚ ଫେଲୋ (ଏସଆରଏଫ) ଭାବେ ତୃତୀୟ ବର୍ଷର ଛାତ୍ରୀ ଅଟନ୍ତି । ସେ ମହାକାଶ ବିଜ୍ଞାନ, ମହାକାଶ ପାଣିପାଗ, ଆୟନ ସ୍ପିୟରିକ୍ ପଦାର୍ଥ ବିଜ୍ଞାନ, ସିଣ୍ଟିଲେସନ ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି ।

ଜଣେ ଓଡ଼ିଆ ଝିଅ ହିସାବରେ ନାସାରେ ଗବେଷଣା କରିବା ପାଇଁ ଈପସିତା ମନୋନୀତ ହେବା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର । ଏହି ଖବର ପ୍ରଚାରିତ ହେବା ପରେ ଈପସିତାଙ୍କ ନିକଟରୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ବଡ଼ମ୍ବା ମୋହନ ସୁବୁଦ୍ଧି କଲେଜର ଅଧ୍ୟାପକ ଭୀମସେନ କଟୁଆଳ ଓ ସସ୍ମିତା କଟୁଆଳଙ୍କ ସୁପୁତ୍ରୀ ଅଟନ୍ତି ଈପସିତା । ତାଙ୍କର ଏହି ସଫଳତା ପଛରେ ବଡ଼ମ୍ବା କଲେଜର ଅଧ୍ୟକ୍ଷାଙ୍କର ବଡ଼ ଭୂମିକା ରହିି । ଏହି ସଫଳତାର ଶ୍ରେୟ ଈଶ୍ୱର, ପିତାମାତା ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ଈପସିତା ।

ସାଧାରଣ ଭାବେ ପୃଥିବୀ ପୃଷ୍ଠରୁ ୮୦-୧୦୦ କିମି ଉପରି ଭାଗକୁ ଆୟନ ମଣ୍ଡଳ କୁହାଯାଇଥାଏ । ସୌରଝଡ଼ ବା ଚୁମ୍ବକୀୟ ଝଡ଼ ସମୟରେ ସୂର୍ଯ୍ୟଙ୍କ କଣିକାଗୁଡ଼ିକ ପ୍ରତି ସେକେଣ୍ଡରେ ୬ ଶହରୁ ୭୦୦ କିମି କ୍ଷିପ୍ର ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସିଥାନ୍ତି । ସେମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ସଂରଚନାରେ ପରିବର୍ତ୍ତନ କରିଥାନ୍ତି, ଫଳରେ ମେରୁ ଅଞ୍ଚଳରେ ବହୁ ମାତ୍ରାରେ ଶକ୍ତି ଏକତ୍ର ହୋଇଥାଏ । ଏହି ବୈଦ୍ୟୁତ କ୍ଷେତ୍ର ମେରୁ ଠାରୁ ବିଷୁବ ରେଖା ପର୍ଯ୍ୟନ୍ତ ସଂଯୋଗ ହୋଇଥାଏ ।

ଏହି ସମୟରେ ଆୟନ ମଣ୍ଡଳରେ ଥିବା ସାନ୍ଦ୍ରତା ଗଠନ ଶୈଳୀରେ ପରିବର୍ତ୍ତନ ଘଟିଥାଏ । ସାନ୍ଦ୍ରତାରେ ଅନିୟମିତାର ପ୍ରତିଫଳନ ସ୍ୱରୂପ ପୃଥିବୀ ଉପରିଭାଗରେ ରହିଥିବା ଉପଗ୍ରହ ସଙ୍କେତରେ ବ୍ୟାଘାତ ଘଟିଥାଏ । ଅନେକ ସମୟରେ ଚୁମ୍ବକୀୟ ଝଡ଼ ଅଧିକ ତୀବ୍ର ହେବା କାରଣରୁ ଉପଗ୍ରହଗୁଡ଼ିକ ଅଚଳ ହୋଇଯାଇଥାନ୍ତି । ଏହି ବିଷୟରେ ଅଧିକ ଗବେଷଣା କରିବା ପାଇଁ ଈପସିତା ‘ସ୍କୋଷ୍ଟେପ ଭିଜିଟିଂ ସ୍କଲାର ଫେଲୋସିପ ଆୱାର୍ଡ’ରେ ତିନି ମାସ ପାଇଁ ନାସା ଯାତ୍ରା କରିବେ ସେ ବିଷୁବ ରେଖା ଅଞ୍ଚଳରେ ‘ପ୍ଲାଜମା ବବୁଲ’ର ସୃଷ୍ଟି ଉପରେ ଅନୁସନ୍ଧାନ କରିବେ ।

Get real time updates directly on you device, subscribe now.