fbpx

ଖୁବଶୀଘ୍ର ରାଜ୍ୟରେ ଖୋଲିବ ଆପାର୍ଟମେଣ୍ଟ କିଣାବିକା ବଜାର: ବିଧାନସଭାରେ ଆଗତ ହେଲା ବିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ଆପାର୍ଟମେଣ୍ଟ କିଣାବିକାକୁ ନେଇ ରାଜ୍ୟରେ ବିବାଦ ରହିଥିଲା । ବିଶେଷ କରି ଆପାର୍ଟମେଣ୍ଟରେ ଥିବା ସର୍ବସାଧାରଣ ସ୍ଥାନର ମାଲିକାନାକୁ ନେଇ ବିଲ୍ଡର ସଂସ୍ଥା ଓ ଆପାର୍ଟମେଣ୍ଟ ମାଲିକ ସଂଘ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା । ଫଳରେ ଏହି ମାମଲା ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ତେଣୁ ଏନେଇ ଆଇନ ଆଣିବାକୁ ରାଜ୍ୟ ସରକାର ବିଚାର କରିବା ସହ ଗତ ମାର୍ଚ୍ଚ ମାସରେ ବିଧାନସଭାରେ ଏହାକୁ ଆଗତ କରିଥିଲେ ।

ମାତ୍ର ପରେ ଏହାକୁ ବିଧାନସଭାରୁ ଅପସାରଣ କରାଯାଇ ମେ’ରେ ପୁଣ ଅଧ୍ୟାଦେଶ ଆକାରରେ ନୂଆ ନିୟମ ଲାଗୁ କରାଯିବା ସହ ଏବେ ବିଧାନସଭାରେ ବିଲକୁ ଆଗତ କରାଯାଇଛି । ତେବେ ଏହା ଆଇନରେ ପରିଣତ ହେଲେ ପିଛିଲା ଭାବେ ଜୁନ ୨୮ ତାରିଖରୁ ଲାଗୁ ହେବ ବୋଲି ବିଲରେ ଉଲ୍ଲେଖ ରହିଛି । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ୨୦୨୩ ବିଲକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଆଗତ କରିଛନ୍ତି ।

ଆଗକୁ ଘର କିଣାବିକା କାର୍ଯ୍ୟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆପାର୍ଟମେଣ୍ଟ ମାଲିକାନା ଆଇନ ୧୯୮୨ ବଦଳରେ ନୂଆ ଅଧିନିୟମ ଜରିଆରେ ଏହି ବିଲ୍ ପ୍ରସ୍ତୁତ କରିଛନ୍ତି । ନୂଆ ବିଲରେ ଗ୍ରାହକଙ୍କୁ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇଛି । ଏଥିସହିତ ସଂଘର କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି । ବିଲ୍ଡର ଓ ଗ୍ରାହକଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦର ସମାଧାନ କରିବା ଦିଗରେ ଏହି ବିଲ୍ ସହାୟକ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

Get real time updates directly on you device, subscribe now.