fbpx

ମାଣ୍ଡିଆର ଭୂ- ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରିବାରେ ଓଡ଼ିଶା ପାଇଲା ଦେଶର ପ୍ରଥମ ରାଜ୍ୟର ମାନ୍ୟତା

ଭୁବନେଶ୍ୱର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ଲାଭ କରିଛି । କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶ ଅନୁସାରେ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀ ଭାବେ ବ୍ୟବହାର କରିବା ପାଇଁ କୃଷି ବିଭାଗ ପକ୍ଷରୁ ବିଜ୍ଞପ୍ତି ବାହାରିଛି । ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ ଟି ବିହନକୁ ସାମିଲ କରାଯିବା ସହ କୃଷକମାନଙ୍କ ଚାହିଦା ଅନୁଯାୟୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆ ଭୂ-ପ୍ରଜାତି ବିକଶିତ ହେବା ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଓଡ଼ିଶା ମିଲେଟ ମିଶନର ଏହି ସଫଳତା ପୁଷ୍ଟିଶସ୍ୟ ମାଣ୍ଡିଆର ବ୍ୟାପକ ପ୍ରସାର ଦିଗରେ ସହାୟକ ହେବ । ଏହାଦ୍ୱାରା ଜନଜାତି କୃଷକ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଅନ୍ୟ ଅଂଶୀଦାରମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ।

ଏହି ଚାରିଗୋଟି ଭୂ-ପ୍ରଜାତିର ମାଣ୍ଡିଆ ବିହନ କୋରାପୁଟ ଓ ମାଲକାନଗିରି ଜିଲ୍ଲାପାଇଁ ଜାରି କରାଯାଇଥିବାବେଳେ ଏହାର ସଫଳ ପ୍ରୟୋଗ ଏବଂ କୃଷକମାନଙ୍କ ଦ୍ୱାରା ଗ୍ରହଣୀୟତାକୁ ଆଧାର କରି ଅନ୍ୟ ଜିଲ୍ଲାଗୁଡିକୁ ସଂପ୍ରସାରିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୬୩ଟି ମାଣ୍ଡିଆ ଭୂ-ପ୍ରଜାତି ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ ୧୪ଟି ଭୂ-ପ୍ରଜାତିର ଉତ୍ତମ ପ୍ରଦର୍ଶନର ସମ୍ଭାବନା ଲକ୍ଷ୍ୟ କରଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ୪ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରାଯାଇଛି ।

Get real time updates directly on you device, subscribe now.