fbpx

ସଫଳ ହୋଇଛି କି ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ ଯାତ୍ରା”?

ଓଡିଶା ଭାସ୍କର; ଗତ କିଛି ଦିନ ହେବ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ପୂର୍ବ ଅପେକ୍ଷା ସେ ଏବେ ଅନେକ କ୍ଷେତ୍ରରେ ବଦଳି ଯାଇଥିବା ପରି ମନେ ହେଉଛି । ବିଶେଷକରି ସେ ଆରମ୍ଭ କରିଥିବା ଭାରତ ଯୋଡ ଯାତ୍ରା ପରଠାରୁ ତାଙ୍କର କାର୍ୟ୍ୟଶୈଳୀରେ ଅନେକ ପରିବର୍ତ୍ତନ ଦେଖା ଦେଇଛି । ଭେଷ-ପୋଷାକ, ସୋସିଆଲ ମିଡ଼ିଆ ବ୍ୟବହାର, ପଲିଟିକାଲ ଷ୍ଟ୍ରାଟେଜି, ସିଧା ଲୋକଙ୍କ ସହ ମିଶିବା, ବିରୋଧୀଙ୍କୁ ନୂଆ ଢଙ୍ଗରେ ଆକ୍ରମଣ କରିବା ଭଳି କ୍ଷେତ୍ରରେ ସେ ପରିବର୍ତ୍ତନ ଆଣିଥିବା ଦେଖିବାକୁ ମିଳୁଛି । ତେବେ ତାଙ୍କର ଏହି ପରିବର୍ତ୍ତନରେ ମଧ୍ୟ କଂଗ୍ରେସ ଶିବିରରେ ପରିବର୍ତ୍ତନ ହେଉଥିବା ପରିଲକ୍ଷିତ ହେଉଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଦଳକୁ ଅନେକ ସଫଳତା ମିଳିଥିବା ନେଇ ସାଧାରଣରେ ଚର୍ଚ୍ଚା ଦେଖିବାକୁ ମିଳୁଛି ।

ଭେଷ-ପୋଷାକ; ଯଦି ତାଙ୍କ ଭେଷ-ପୋଷାକ କଥା ଦେଖାଯାଏ, ରାହୁଲ ପ୍ରଥମେ ଧଳା ଟ୍ରାଉଜର ପିନ୍ଧିଥିବାର ବେଶୀ ନଜରକୁ ଆସିଥାନ୍ତି । ସେହିପରି ନିଶା କିମ୍ବା ଦାଢ଼ି ସେ ଆଦୌ ରଖନ୍ତି ନାହିଁ । କିନ୍ତୁ ଏବେ ସେ ପ୍ରାୟ ଟି-ସାର୍ଟ ପିନ୍ଧିବା ସାଙ୍ଗକୁ ଲମ୍ବା ନିଶ ଓ ଦାଢ଼ି ରଖିଥିବା ଦେଖିବାକୁ ମିଳୁଛି ।

ସୋସିଆଲ ମିଡ଼ିଆ ବ୍ୟବହାର; ରାଜନୀତି ପରିସରରେ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ଏବେ ଅନେକ ଚାହିଦା ବଢିଛି । ପ୍ରଧାନମନ୍ତ୍ରୀ ମୋଦୀ ଟିକିଏ ଅଧିକ ଫଟୋ ପ୍ରେମୀ ବୋଲି ଅନେକ ସମୟରେ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ଭରଚୁଆଲ ବୈଠକ, ଲାଇଭ ପ୍ରୋଗ୍ରାମ, ଆକ୍ଟିଭ ଫେସବୁକ ପେଜ ସାଙ୍ଗକୁ “ମନ କି ବାତ କାର୍ୟ୍ୟକ୍ରମ” ଭଳି ଅନେକ ସମୟରେ ସୋସିଆଲ ମିଡ଼ିଆରେ ସାମ୍ନାକୁ ଅସିଥା’ନ୍ତି । କିନ୍ତୁ ରାହୁଲ ଆଗରୁ ସୋସିଆଲ ମିଡ଼ିଆର ବ୍ୟବହାର କ୍ଷେତ୍ରରେ ଏତେ ସାମ୍ନାକୁ ଆସୁ ନଥିବା ଦେଖିବାକୁ ମିଳେ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିବା ସହ ଦଳର ସମସ୍ତ ସୋସିଆଲ ମିଡ଼ିଆକୁ ଗୁରୁତ୍ୱ ଦେଇଛନ୍ତି ରାହୁଲ । ନୂଆ ନୂଆ ଫଟୋ ସାଙ୍ଗକୁ ନୂଆ ପୋଜରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି । କ୍ଷେତରେ ଚାଷୀଙ୍କ ସହ କଥା ହୋଇ ଭିଡିଓରେ ନଜର ଆସିବା ଓ ଅନ୍ୟାନ ଭିଡିଓ ମାଧ୍ୟମରେ ସେ ଲୋକ ଲୋଚନକୁ ଆସୁଛନ୍ତି ।

ସିଧା ଲୋକଙ୍କ ସହ ମିଶିବା; ଗତବର୍ଷ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରି ୧୩୦ ଦିନ ପାଇଁ ଭାରତ ଯୋଡ଼ ଯାତ୍ରା କରିଥିଲେ ରାହୁଲ ଗାନ୍ଧୀ । ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେ ଯାଉଥିଲେ ଓ ସିଧାସଳଖ ଲୋକଙ୍କୁ ଯାଇ ଭେଟୁଥିଲେ । ଚାଷୀ, ଛାତ୍ର, ମହିଳା, ଆଦିବାସୀ ଓ କୁନି କୁନି ପିଲାଙ୍କ ସହ ସିଧା କଥା ହେଉଥିବା ଦେଖିବାକୁ ମିଳିଥିଲେ । ଦଳର ହାଇକମାଣ୍ଡ ହୋଇ ଏସି ଘରେ ନରହି ଖରା,ବର୍ଷା ଓ କାକରେ ବୁଲି ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝୁଥିଲେ । ଏତିକି ନୁହେଁ କେତେବେଳେ ଟ୍ରକରେ ଯାତ୍ରା କରି ଟ୍ରକ ଡ୍ରାଇଭରଙ୍କ ସହ କଥା ହେଉଥିଲେ ତ ଆଉ ପୁଣି କେତେବେଳେ ଡେଲିଭରି ବୟେଙ୍କ ସାଙ୍ଗରେ ବୁଲୁଥିଲେ । କାଦୁଅ ପଚପଚ ରାସ୍ତାରେ ଯାଇ ଚାଷୀଙ୍କୁ ଭେଟି ସେମାନଙ୍କ ଅସୁବିଧା ପଚାରି ବୁଝୁଥିଲେ ।

ନିୟୁ ପଲିଟିକାଲ ଷ୍ଟ୍ରାଟେଜି ; କଥା କହିବାର ଶୈଳୀ ସାଙ୍ଗକୁ ସାଙ୍ଗଠନିକ ଦକ୍ଷତା କ୍ଷେତ୍ରରେ ରାହୁଲ ଅନେକ ସୁଧାର ଆଣିଥିବା ପରିଲକ୍ଷିତ ହେଉଛି । ସମସ୍ତ ମୋଦୀ ବିରୋଧୀଙ୍କୁ ଗୋଟିଏ ଛାତ ତଳେ ବସେଇବାରେ ସେ ସକ୍ଷମ ମଧ୍ୟ ହୋଇଛନ୍ତି । ବିରୋଧୀଙ୍କୁ ନେଇ ମେଣ୍ଟ ଦଳ “ଇଣ୍ଡିଆ” ଗଠନ କରିପାରିଛନ୍ତି । କର୍ଣ୍ଣାଟକ ରାଜ୍ୟରେ କ୍ଷମତାକୁ ଆସି ପାରିଛି ଦଳ,ପୁଣିଥରେ ସାଂସଦ ପଦ ଫେରି ପାଇଛନ୍ତି । ଲୋକସଭାରେ ସମସ୍ତ ବିରୋଧୀଙ୍କୁ ନେଇ ଜୋରଦାର ବିରୋଧ ପଦର୍ଶନ କରିବାରେ ସଫଳ ହୋଇଛନ୍ତି । ଏମିତିକି ମଣିପୁର ହିଂସା ପ୍ରସଙ୍ଗରେ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବି ସେ ଆଣି ପାରିଛନ୍ତି ।

ମୋଟାମୋଟି ଭାବେ ଏସବୁ ଦେଖିବାକୁ ଗଲେ ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ ଯାତ୍ରା” ତାଙ୍କ ପାଇଁ କିଛି ସଫଳତା ଆଣି ଦେଇଛି । ତେବେ ରାହୁଲଙ୍କ ଆଗାମୀ କାର୍ୟ୍ୟଧାରା କଣ ରହିବ ଓ ସେ କେତେଦୂର ସଫଳ ହେଉଛନ୍ତି ତାକୁ ନେଇ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.