fbpx

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପୁଲିସକୁ ନଜଣାଇ ଶବ ସତ୍କାର କଲେ ପରିବାର ଲୋକେ

Advertisement

ଭୁବନେଶ୍ୱର: ଆଜି ସନ୍ଦେହଜନକ ଭାବରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ସହରର ବାଲିପାଟନା ଅଞ୍ଚଳରେ । ତେବେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଜଣାପଡି ନ ଥିବା ବେଳେ ମୃତକଙ୍କ ପରିବାର ଲୋକେ ପୁଲିସକୁ ନ ଜଣାଇ ତାଙ୍କ ମୃତଦେହକୁ ପୋଡି ଦେଇଛନ୍ତି।

ଖବର ଅନୁଯାୟୀ, ମୃତ ଛାତ୍ରୀ ଜଣଙ୍କ ହେଲେ ବାଲିପାଟଣା ପୁଲିସ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତର ବାସିନ୍ଦା । ସେ ସ୍ଥାନୀୟ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଆଜିସକାଳେ ଅଚାନକ ସନ୍ଦେହଜନକ ଭାବରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପରିବାର ଲୋକେ ତାଙ୍କ ମୃତ୍ୟୁ ବିଷୟରେ ପୋଲିସକୁ ନ ଜଣାଇ ଗାଁରେ ଶବଦାହ କରି ଦେଇଥିଲେ।

ତେବେ ତାଙ୍କ ମୃତ୍ୟୁର ପ୍ରମାଣ ନଷ୍ଟ କରିବାକୁ ପରିବାର ଲୋକେ ଏପରି କରିଥିବା ସନ୍ଦେହ କରାଯାଉଛି। ଏହାର କାରଣ ହେଉଛି ମୃତ ଛାତ୍ରୀ ଜଣକ ଗତ କିଛି ବର୍ଷ ଧରି ତାଙ୍କ ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ। କିନ୍ତୁ ତାଙ୍କ ପରିବାର ସେହି ସମ୍ପର୍କକୁ ବିରୋଧ କରିଆସୁଥିଲେ। ଏପରିକି ବିଭିନ୍ନ ସମୟରେ ସେମାନେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ। କିଛି ଦିନ ପୂର୍ବରୁ ଝିଅଟି ତାର ପ୍ରେମିକ ସହ ଭୁବନେଶ୍ୱର ବୁଲିବାକୁ ଯାଇ ପରିବାର ଲୋକଙ୍କୁ ଜଣାଇ ନଥିଲା। ତାଙ୍କ ପରିବାରର ଜଣେ ସମ୍ପର୍କୀୟ ରାସ୍ତାରେ ସେମାନଙ୍କୁ ଏକାଠି ଦେଖିଥିଲେ ଝିଅର ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ଝିଅଟି ଘରକୁ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ପରିବାର ଲୋକେ ଆଜି ଝିଅ ଆତ୍ମହତ୍ୟା କରିଥିବା କହି ମୃତଦେହକୁ କିଛି ଗ୍ରାମବାସୀଙ୍କ ଉପସ୍ଥିତିରେ କୁଶଭଦ୍ରା ନଦୀ କୂଳରେ ପୋଡି ଦେଇଥିଲା। ତେବେ ପୋଲିସକୁ ନ ଜଣାଇ ପରିବାରର ଏପରି କାର୍ୟ୍ୟ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଏହି ମାମଲାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରି ନାହିଁ।

Get real time updates directly on you device, subscribe now.