fbpx

ନୂଆ ବର୍ଷରେ ଓଡ଼ିଶା ପିଇଲା ୬୦ କୋଟି ଟଙ୍କାର ମଦ; କଟକରେ ସବୁଠୁ ଅଧିକ ମଦୁଆ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ-OSBCର ସୂଚନା ଅନୁସାରେ, ଡିସେମ୍ବର ୩୦ରେ ଏହାର ୯ଟି ସରକାରୀ ଡିପୋରୁ ଯାଇଛି ୧୧ ଲକ୍ଷ ଲିଟର ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ୩୧ ତାରିଖ ରବିବାର ସବୁ ଡିପୋ ବନ୍ଦ ରହିବାକୁ ଥିବାରୁ, ୩୦ରୁ ହିଁ ଏହି ବିପୁଳ ପରିମାଣର ମଦ କିଣିନେଇଥିଲେ ଲୋକେ । ଦୈନିକ ହାରାହାରି ୨୦ କୋଟି ଟଙ୍କାର ମଦ ବିକ୍ରି କରୁଥିବା OSBCର ବ୍ୟବସାୟ ଅଚାନକ ୩ ଗୁଣ ବଢ଼ିଯାଇଥିଲା।

ନୂଆବର୍ଷ ବେଳେ ଓଡ଼ିଶାରେ ଦେଶୀଠୁ ବିଦେଶୀ ଓ IMFL ବା ଭାରତରେ ତିଆରି ବିଦେଶୀ ମଦର ବିକ୍ରି ଅଧିକ ରହିଛି । ଡିସେମ୍ବର ୩୦ରେ ବିକ୍ରି ହୋଇଥିବା ୬୦ କୋଟି ୭୩ ଲକ୍ଷ ଟଙ୍କାର ମଦରୁ ୫୦ କୋଟି ୮୪ ଲକ୍ଷ ଟଙ୍କା କେବଳ ବିଦେଶୀ ଓ IMFLରୁ ଆସିଛି । ବିଅର୍ ୮ କୋଟି ୪ ଲକ୍ଷ ଟଙ୍କା ଓ ଦେଶୀମଦ ୧ କୋଟି ୮୩ ଲକ୍ଷ ଟଙ୍କାର ବିକ୍ରି ହୋଇଛି । ବିଦେଶୀ ମଦ ବିକ୍ରି କ୍ଷେତ୍ରରେ ରାଜଧାନୀକୁ ବି ପଛରେ ପକାଇ ଦେଇଛି କଟକ। ଭୁବନେଶ୍ୱରରେ ୬୩ ହଜାର ୮୯୮ ଲିଟର ଫରେନ୍ ଲିକର ବିକ୍ରି ହୋଇଥିବା ବେଳେ, କଟକିଆ ପିଇଛନ୍ତି ୬୮ ହଜାର ୫୯୧ ଲିଟର ।

ମଦ୍ୟପାନ କ୍ଷେତ୍ରରେ ଜାତୀୟ ହାରକୁ ଟପିଯାଇଛି ଓଡ଼ିଶାବାସୀଙ୍କ ମଦ ନିଶା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ର ତଥ୍ୟ କହୁଛି, ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧୮.୮ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି । ଓଡ଼ିଶାରେ କିନ୍ତୁ ଏହି ହାର ରହିଛି ୨୮.୮ ପ୍ରତିଶତ । ସେହିଭଳି ଜାତୀୟ ସ୍ତରରେ ମଦ୍ୟପାନ କରୁଥିବା ମହିଳାଙ୍କ ହାର ୧.୩ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ଏହି ହାର ୪.୩ ପ୍ରତିଶତ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଲୋକ ମଦ୍ୟପାନ କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.