ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ମିଳିଲା ଆଶ୍ବସ୍ତିଜନକ ଖବର। ସଫଳ ହେଲା ଓଡ଼ିଶା ତଥା ପୂର୍ବ ଭାରତର ପ୍ରଥମ କାର୍ ଟି-ସେଲ୍ ଥେରାପି। ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା କାର୍ ଟି-ସେଲ୍ ଥେରାପି ମୟୂରଭଞ୍ଜର ଜଣେ ରକ୍ତ କର୍କଟ ଆକ୍ରାନ୍ତ ୧୫ ବର୍ଷୀୟା ନାବାଳିକା ଠାରେ ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ମିଳିଲା ସୂଚନା।
ଏହା ସେଲ୍ ଓ ଜିନ୍ ଥେରାପି ଚିରାଚରିତ କେମୋ ଥେରାପି ଠାରୁ ଭିନ୍ନ ଏବଂ ଏହା ଦ୍ୱାରା କର୍କଟ ସହ ଲଢ଼ିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯାଏ। କାର୍ ଟି-ସେଲ ଥେରାପିରେ ରୋଗୀର ଟି-ସେଲକୁ ଜେନେଟିକାଲି ପରିବର୍ତ୍ତିତ କରି ଶରୀରର କର୍କଟ କୋଷ ଗୁଡ଼ିକୁ ନଷ୍ଟ କରିବାକୁ ବ୍ୟବହାର କରାଯାଏ। ଯେଉଁ ରୋଗୀମାନେ ଚିରାଚରିତ କର୍କଟ ଚିକିତ୍ସା ଓ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ ଦ୍ୱାରା ଉପକୃତ ହେଉ ନାହାନ୍ତି ସେମାନଙ୍କ ପାଇଁ ଏହା ଅନେକ ସହାୟକ ହେଉଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇ କହିଛନ୍ତି। ଏହି ୧୫ ବର୍ଷୀୟା ବାଳିକାର ଚିକିତ୍ସା ହେଉଛି ପୂର୍ବ ଭାରତରେ ପ୍ରଥମ ସଫଳ କାର ଟି-ସେଲ ଥେରାପି ଚିକିତ୍ସା। ଆଇଏମ୍ ଏସ୍ ଆଣ୍ଡ ସମ ହସ୍ପିଟାଲ୍ ନୂତନ ଚିକିତ୍ସା ପଦ୍ଧତି ଓ ଜ୍ଞାନ କୌଶଳକୁ ବ୍ୟବହାର କରିବାରେ ଅଗ୍ରଣୀ ଥିବା ବେଳେ ୭୦ ରୁ ଅଧିକ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ଏବଂ ୧୫୦ ରୁ ଅଧିକ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା କରାଯାଇଛି।