fbpx

୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଛୁଟି ତାଲିକା : ଜାଣନ୍ତୁ କର୍ମଚାରୀଙ୍କୁ କେତେଦିନ ମିଳିବ ଛୁଟି ?

ଭୁବନେଶ୍ୱର: ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ତାଲିକା ପ୍ରକାଶ କରିଛନ୍ତି । ଏଥିରେ ମୋଟ୍‍ ୩୦ଟି ଛୁଟି ଦିବସ ରହିଛି । ସୂଚନା ଅନୁଯାୟୀ ଦ୍ୱିତୀୟ ଶନିବାର ଓ ରବିବାରରେ ୫ଟି ଛୁଟିଦିନ ରହିଥିବା ବେଳେ ମୋଟ୍‍ ୩ଟି ଇଚ୍ଛାଧୀନ ଛୁଟି ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ୪୬ଟି ରବିବାର ଏବଂ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ମିଳିବ । ସବୁ ଛୁଟିକୁ ମିଶାଇଲେ ୨୦୨୪ କ୍ୟାଲେଣ୍ଡର ବର୍ଷରେ ମୋଟ୍‍ ୯୯ଟି ଛୁଟିଦିନ ମିଳିବ ବୋଲି ବିଭାଗ ଦର୍ଶାଇଛି ।

ଜାନୁୟାରୀ ୧୭ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ାଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି। ସେହିପରି ୨୦୨୪ ଏପ୍ରିଲ ୭ ରବିବାରରେ ‘ସବ୍‌-ଇ-କଦର’, ନଭେମ୍ବର ୧୦ ରବିବାରରେ ଅଁଳାନବମୀ ଓ ନଭେମ୍ବର ୨୩ ଚତୁର୍ଥ ଶନିବାରରେ ପ୍ରଥମାଷ୍ଟମୀ ପଡ଼ୁଥିବାରୁ ଏହିସବୁ ଇଚ୍ଛାଧୀନ ଛୁଟି ପ୍ରଭାବିତ ହୋଇଛି।

ରବିବାର ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଜୁଲାଇ ୭ ରବିବାର ରଥଯାତ୍ରା, ସେପ୍ଟେମ୍ବର ୮ ରବିବାରରେ ନୂଆଖାଇ, ଅକ୍ଟୋବର ୧୨ରେ ଦ୍ୱିତୀୟ ଶନିବାର ମହାନବମୀ ଓ ଅକ୍ଟୋବର ୧୩ ରବିବାର ବିଜୟାଦଶମୀ ପଡ଼ୁଛି। ଏସବୁ ଦିନଗୁଡ଼ିକ ସାଧାରଣତଃ ଛୁଟି ଦିବସ ଘୋଷଣା ହୋଇଥାଏ। ଏହି ଛୁଟିଦିନଗୁଡ଼ିକୁ ବାଦ୍‌ ଦେଲେ ରାଜ୍ୟ କର୍ମଚାରୀମାନଙ୍କୁ ୪୬ଟି ରବିବାର ଏବଂ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ମିଳିବ। ସରକାରୀ କର୍ମଚାରୀଙ୍କୁ ମୋଟ ଉପରେ ୩୦ଟି ସରକାରୀ ଛୁଟିଦିନ, ଗୋଟିଏ ଇଚ୍ଛାଧୀନ ଛୁଟି ସମେତ ରବିବାର ଓ ଶନିବାର(ଦ୍ୱିତୀୟ ଓ ଚତୁର୍ଥ)ରେ ୬୮ଟି ଛୁଟିଦିନ ମିଶାଇ ମୋଟ ୯୯ଟି ଛୁଟିଦିନ ମିଳିବ। ଏହା ବ୍ୟତୀତ ରାଜ୍ୟରେ ଥିବା ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍‍ ସମ୍ବନ୍ଧୀୟ ସଂସ୍ଥା ଗୁଡ଼ିକ ନିମନ୍ତେ ୨୦ଟି ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି ।

Get real time updates directly on you device, subscribe now.