ଓଡ଼ିଶା ଭାସ୍କର: ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଛନ୍ତି। ତେବେ ବୀରମହାରାଜପୁର ଏନ୍ଏସି ତାଲିକାରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି। ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଛି। ତେବେ ବୀରମହାରାଜପୁର ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ।
ସୂଚନା ଥାଉକି, ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନେଇ ଘୋଷଣା କରିଥିଲେ। କିନ୍ତୁ ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ନମିଳିବା ପରେ ଏହାକୁ ନେଇ ଅଞ୍ଚଳର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ସ୍ଥାନୀୟ ବିଜେଡି ମଧ୍ୟ ତା’ର ପ୍ରତିକ୍ରିୟା ରଖିଥିଲା। ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ଦିଆଯାଉ ବୋଲି ସମସ୍ତେ ମିଳିତ ଦାବି ରଖିଥିଲେ। ଏଣୁ ଏହାକୁ ପୁନଃ ବିଚାର କରି ଆଜି ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।