fbpx

ଓଡ଼ିଶାରେ ସବୁଠୁ ଅଧିକ କୁକୁର: ଫେଲ୍ ମାରିଲା ଏବିସି; ବନ୍ଧ୍ୟାକରଣ ପରେ କିପରି ହେଉଛି ବଂଶବୃଦ୍ଧି?

ଓଡ଼ିଶା ଭାସ୍କର: ରାଜ୍ୟର ପ୍ରତ୍ୟେକ ଯାଗାରେ ଆପଣ କେଉଁଠି ନା କେଉଁଠି କୁକର ଦେଖିବାକୁ ପାଉଥିବେ। ତେବେ ଓଡ଼ିଶାରେ ଏହି କୁକୁରଙ୍କ ସଂଖ୍ୟା କେତେ ରହିଛି ଏହାର ହିସାବ ଆପଣଙ୍କ ପାଖରେ ଅଛି କି? କୁକରଙ୍କ ସଂଖ୍ୟାକୁ ନେଇ ଆମ ରାଜ୍ୟ ଦେଶର କେତେ ନମ୍ବରରେ ସ୍ଥାନ ପାଇଛି ଆପଣଙ୍କୁ ଜଣା ଅଛି କି? ୨୦୧୯ର ପଶୁଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦେଶର ଦ୍ୱିତୀୟ ସର୍ବାଧିକ ସଂଖ୍ୟା ଅର୍ଥାତ ୧୭ ଲକ୍ଷ କୁକୁର ରହିଛନ୍ତି। ସହାରଞ୍ଚଳରେ କୁକୁରଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ପଶୁ ଜନ୍ମ ନିୟନ୍ତ୍ରଣ (ଏବିସି) କାର୍ୟ୍ୟକ୍ରମର ବିଫଳତା ହେତୁ କୁକୁର କାମୁଡ଼ା ଜନିତ ସମସ୍ୟା ବୃଦ୍ଧି ହେଉଛି।

ଯାହାକୁ ନେଇ ଦେଶରେ କୁକୁର କାମୁଡ଼ା ଜନିତ ମାମଲାରେ ଓଡ଼ିଶା ପ୍ରଥମ ୧୦ ରାଜ୍ୟ ମଧ୍ୟରେ ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ଇଣ୍ଟିଗ୍ରେଟେଡ୍‌‌ ହେଲଥ୍‌‌ ଇନଫରମେସନ୍‌‌ ପ୍ଲାଟଫର୍ମ (ଆଇଡିଏସ୍‌‌ପି)ର ତଥ୍ୟ ଆଧାରରେ ଏହି ସୂଚନା ଦିଆଯାଇଛି। ରୋଗୀଙ୍କର ମତାମତ ଓ ଚିକିତ୍ସା ଅନୁଯାୟୀ ଡାକ୍ତରଖାନାଗୁଡ଼ିକ ଆଇଡିଏସ୍‌‌ପିକୁ ତଥ୍ୟ ଦେଇଥାଏ। ମାତ୍ର ଘରୋଇ ହସ୍ପିଟାଲ୍‌‌ ଓ ପ୍ରାକ୍ଟିସନ୍‌‌ରମାନଙ୍କଠାରେ ଅନେକ ଲୋକ କୁକୁର କାମୁଡ଼ା ଚିକିତ୍ସା କରାଉଥିଲେ ମଧ୍ୟ ଏହି ତଥ୍ୟ ପ୍ରଦାନ କରୁନାହାନ୍ତି। ଯାହାଦ୍ୱାରା ରାଜ୍ୟରେ ଏହି ସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି।

ସାଧାରଣତଃ କୁକୁରଙ୍କ ପ୍ରଜନନ ସମୟ (ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର)ରେ କୁକୁର ଅଧିକ ଆକ୍ରମଣାତ୍ମକ ରହିଥାନ୍ତି। ଏହି ସମୟରେ କୁକୁର କାମୁଡ଼ାରୁ ବର୍ତ୍ତବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥା’ନ୍ତି। ସୂଚନା ଥାଉକି, ରାଜଧାନୀ ଭୁବନେଶ୍ୱରରେ ଏବିସି ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁଲାଇ ୬ ତାରିଖରୁ କୁକୁର ବନ୍ଧ୍ୟାକରଣ ଉପରେ ରୋକ ଲାଗାଯାଇଛି। ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ୧୨ ଟି ସହରାଞ୍ଚଳରେ ଭୁବନେଶ୍ୱର, କଟକ, ପୁରୀ, ସମ୍ୱଲପୁର, ଅନୁଗୁଳ, ଜଗତସିଂହପୁର, ବାରିପଦା, ବ୍ରହ୍ମପୁର, ବାଲେଶ୍ୱର, ଭବାନୀପାଟଣା, ରାଉରକେଲା ଏବଂ ଯାଜପୁରରେ ଏବିସି କାର୍ଯ୍ୟକ୍ରମ କରିଆସୁଛି।

ବିଭାଗର ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧-୨୨ ମସିହାରେ ରାଜଧାନୀରେ ୨,୧୫୦ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ ତା’ ପୂର୍ବ ବର୍ଷ ଏହି ସଂଖ୍ୟା ୧୦୨୪ ଥିଲା। ଅନ୍ୟପଟେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଏହି ସଂଖ୍ୟା ଯଥେଷ୍ଟ କମ୍‌‌ ରହିଥିବା ଜଣାପଡ଼ିଛି। କଟକରେ ଏହି ସଂଖ୍ୟା ୪୬୩, ସମ୍ୱଲପୁରରେ ୧୫୨, ରାଉରକେଲାରେ ୧୫୨, ବାରିପଦାରେ ୨୩୧ ଏବଂ ପୁରୀରେ ୮୫୬ ରହିଥିଲା।

Get real time updates directly on you device, subscribe now.