fbpx

ବୟନ ଶିଳ୍ପ ଓ ପୋଷାକ କ୍ଷେତ୍ର ପାଇଁ ମେ-୧୭ ରେ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ଵର: ଘରୋଇ ଏବଂ ବୈଶ୍ୱିକ ନିବେଶକଙ୍କ ପାଇଁ ନିବେଶର ଗନ୍ତବ୍ୟସ୍ଥଳ ହେବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ବୟନ, ପୋଷାକ ଏବଂ ବୈଷୟିକ-ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁଠାରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛନ୍ତି ।

ମୁଖ୍ୟ ଶାସନ ସଚିବ,ଓଡିଶା ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଏକ ବରିଷ୍ଠ ପ୍ରତିନିଧି ଦଳ, ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ବୈଠକରେ ଯୋଗଦେବେ । ମଇ ୧୭ ତାରିଖରେ ବେଙ୍ଗାଲୁରୁର ହୋଟେଲ ‘ତାଜ ୱେଷ୍ଟ ଏଣ୍ଡ’ ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ, ଯାହାକୁ ଓଡ଼ିଶା ସରକାର ଆୟୋଜନ କରି କର୍ଣ୍ଣାଟକ ଏବଂ ଆଖପାଖ ରାଜ୍ୟର ସମ୍ଭାବ୍ୟ ନିବେଶକମାନଙ୍କୁ ସାମିଲ କରିବେ ।

ନିକଟରେ ଓଡ଼ିଶା ସରକାର ‘ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨’ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି ୨୦୨୨ ଆଣିଛନ୍ତି, ଯେଉଁଥିରେ ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା ରହିଛି । ଗସ୍ତ କରୁଥିବା ଏହି ପ୍ରତିନିଧି ଦଳ ରାଜ୍ୟରେ ଥିବା ବିଭିନ୍ନ ତଥା ଆଗାମୀ ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବା ସହ ଓଡ଼ିଶାକୁ ଟେକ୍ସଟାଇଲ୍ ଓ ଆପାରେଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରିବେ ।

‘ରୋଡ୍ ଶୋ’ ଅବସରରେ ଉପରୋକ୍ତ ଦୁଇ ଦିନ ୨୦୨୩ ମଇ ୧୭ ଓ ୧୮ ତାରିଖରେ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କ ନେତୃତ୍ୱରେ ଏହି ବରିଷ୍ଠ ପ୍ରତିନିଧି ଦଳ ସମ୍ଭାବ୍ୟ ନିବେଶକଙ୍କ ସହ ଅନେକ ଜି୨ବି ବୈଠକ ଆୟୋଜନ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିବା ନିବେଶକଙ୍କ ଆବଶ୍ୟକତାକୁ ବୁଝିବା ଏବଂ ରାଜ୍ୟ ଯେପରି ନିବେଶକମାନଙ୍କୁ ସର୍ବୋତ୍ତମ ସମ୍ଭବ ସହାୟତା ଓ ସୁବିଧା ପ୍ରଦାନ କରିବ, ତାହାକୁ ସୁନିଶ୍ଚିତ କରିବା ଏହି ବୈଠକର ଉଦ୍ଦେଶ୍ୟ ।

Get real time updates directly on you device, subscribe now.