fbpx

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରିଗୁଣା ବୃଦ୍ଧି ପାଇଛି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ମୌସୁମୀ ଅଧିବେଶନରେ ରାଜ୍ୟରେ ମାଛ ଚାଷ ବୃଦ୍ଧି ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ରାଜ୍ୟକୁ ମାଛର ଆବଶ୍ୟକତା ପୂରଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ତେଣୁ ରାଜ୍ୟର ମାଛ ଚାଷର ବୃଦ୍ଧି ସହ ଆତ୍ମନିର୍ଭରଶୀଳ ହେବାପାଇଁ ସରକାର କି କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ।

ଯାହାର ଉତ୍ତରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ୨୦୦୦-୦୧ ଆର୍ଥିକ ବର୍ଷର ମତ୍ସ୍ୟ ଉତ୍ପାଦନ ତୁଳନାରେ ୨୦୨୧-୨୨ ବର୍ଷର ମତ୍ସ୍ୟ ଉତ୍ପାଦନ ପ୍ରାୟ ୪ ଗୁଣ ଅଧିକ ହୋଇ ପ୍ରାୟ ୯,୮୯,୮୪୨ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି । ୨୦୨୧-୨୨ ବର୍ଷରେ ଉତ୍ପାଦିତ ମାଛ ମଧ୍ୟରେ ମଧୁରଜଳ, ଖାରିଜଳ, ଓ ସାମୁଦ୍ରିକ ଜଳ ଉତ୍ସରୁ ଉତ୍ପାଦିତ ମାଛର ପରିମାଣ ଯଥାକ୍ରମେ ପ୍ରାୟ ୬,୪୯,୬୧୮ ମେଟ୍ରିକ୍ ଟନ୍, ୧,୩୯,୬୨୨ ମେଟ୍ରିକ ଟନ୍ ଓ ୨,୦୦,୬୦୨ ମେଟ୍ରିକ୍ ଟନ୍ ଅଟେ । ୨୦୨୧-୨୨ ବର୍ଷରେ ରାଜ୍ୟରେ ଉତ୍ପାଦିତ ମତ୍ସ୍ୟ ମଧ୍ୟରୁ ପ୍ରାୟ ୨,୫୫,୦୪୮ ମେଟ୍ରିକ୍ ଟନ୍ ବିଦେଶ ଓ ପଡ଼ୋଶୀ ରାଜ୍ୟମାନଙ୍କୁ ରପ୍ତାନୀ କରାଯାଇଛି । ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ରାଜ୍ୟରେ ମଧୁର ମାଛର ଆବଶ୍ୟକତା ଅଧିକ ଥିବାରୁ ୨୦୨୧-୨୨ ବର୍ଷ ବ୍ୟବସାୟୀମାନଙ୍କ ଦ୍ୱାରା ପ୍ରାୟ ୫୦,୫୨୦ ମେଟ୍ରିକ୍ ଟନ୍ ମଧୁର ମାଛ ବାହାର ରାଜ୍ୟରୁ ଅଣାଯାଇଛି ।

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ମତ୍ସ୍ୟ ପୋଖରୀ(ଏମପିୱାଇ), ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଇନପୁଟ୍ ସହାୟତା, ଜୈବ ପୁଞ୍ଜ(ବାୟୋଫ୍ଲାକ୍) ପଦ୍ଧତିରେ ସଘନ ମାଛଚାଷ, ଉଭୟ ମଧୁର ଓ ଖାରିପାଣି ମାଛ ଓ ଚିଙ୍ଗୁଡ଼ି ହାଚେରୀ ପ୍ରତିଷ୍ଠା, ମତ୍ସ୍ୟ ଚାଷ ନିମନ୍ତେ ଆବଶ୍ୟକ ସରଞ୍ଜାମ ଓ ଯନ୍ତ୍ରପାତି ଆଦିର ଲୋକପ୍ରିୟକରଣ, ଫାର୍ମ ପୋଖରୀରେ ମାଛ ଚାଷ, ନୂତନ ଯାଆଁଳ ଅଭିପାଳନ ପୋଖରୀ ସ୍ଥାପନ, ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ, ନୂତନ ଡଙ୍ଗା, ଇଞ୍ଜିନ ଓ ଜାଲ କ୍ରୟ ନିମନ୍ତେ  ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ଏବଂ ଦେଶୀ ଡଙ୍ଗାର ଯାନ୍ତ୍ରିକିକରଣ ଇତ୍ୟାଦି କାର୍ଯ୍ୟକାରୀ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Get real time updates directly on you device, subscribe now.