fbpx

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଗରିବ, ଆଦିବାସୀ ତଥା ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ଖୋର୍ଦ୍ଧାର ପାଇକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖୋର୍ଦ୍ଧାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଖୋର୍ଦ୍ଧାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଦେଶ, ବିଦେଶରେ ଓଡ଼ିଶାର ପାଇକ ସଂସ୍କୃତିର ପ୍ରଚାରରେ ତାହା ସହାୟକ ହୋଇପାରିବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଏହି ଏକାଡେମୀ ସ୍ଥାପନ କରାଯିବ । ଖୁବଶୀଘ୍ର ଏହି କେନ୍ଦ୍ର ସ୍ଥାପନ ପାଇଁ ସ୍ଥାନ ନିରୂପଣ କରିବା ସହିତ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଏକାଡେମୀରେ ପାଇକମାନଙ୍କ ସାମୁହିକ ବିକାଶ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣର ବ୍ୟବସ୍ଥା ରହିବ । ଏଥିସହିତ ଶିକ୍ଷାର୍ଥୀଙ୍କ ପାଇଁ ଛାତ୍ରବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯିବ । ତେବେ ପ୍ରାରମ୍ଭିକ ଭାବେ ଏହି ଏକାଡେମୀ ଗଡ଼ ଖୋର୍ଦ୍ଧାଠାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ମାସରେ ୫ଟି ସଚିବ ଭି.କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇଥିବା ସମୟରେ ପାଇକ ସଂଗଠନର ସଦସ୍ୟମାନେ ତାଙ୍କୁ ଭେଟିବା ସହିତ ପାଇକ ପରମ୍ପରାର ପ୍ରସାର ନେଇ ତାଙ୍କ ସହିତ ଆଲୋଚନା କରିଥିଲେ । ଏନେଇ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମହାନ୍ ସ୍ୱାଧିନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ପାଇକ୍ ବିଦ୍ରୋହ ସଂଗଠିତ ହୋଇଥିଲା । ଇଂରେଜ ଶାସନ ବିରୋଧରେ ଏହା ଦେଶର ପ୍ରଥମ ବିଦ୍ରୋହୀ ବୋଲି କୁହାଯାଏ ।

Get real time updates directly on you device, subscribe now.