fbpx

ରାଜ୍ୟ ପାଇଁ ଗୌରବର ବିଷୟ: ଦେଶରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଜିତିଲା ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଓଡ଼ିଶାକୁ ମିଳିଛି ଏକ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର । ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୂର୍ବରୁ ଓଡ଼ିଶା ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିଲା । ତେବେ ଏହା ମଧ୍ୟରେ ଓଡ଼ିଶା ଜିତିଛି ସ୍ୱର୍ଣ୍ଣ ପଦକ । ନୂଆଦିଲ୍ଲୀର ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟବାସୀଙ୍କ ଗୌରବ ବଢ଼ାଇଛି ।

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ସେଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ବିଭିନ୍ନ ମନ୍ତ୍ରଣାଳୟ ଅଂଶଗ୍ରହଣ କରିଥିଲେ । ତେବେ ଓଡ଼ିଶା ପାଭିଲିୟନ ସେଥିରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସ୍ୱର୍ଣ୍ଣ ହାସଲ କରିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଉଦଯାପନୀ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲା । ଉକ୍ତ ମେଳାରେ ଓଡ଼ିଶା ପାଭିଲିୟନର ପରିକଳ୍ପନା ଓ ନିର୍ମାଣକୁ ଦେଶ, ବିଦେଶର ବହୁ ପର୍ଯ୍ୟଟକ ପ୍ରଶଂସା କରିବା ସହିତ ମିଲେଟରୁ ପ୍ରସ୍ତୁତ ଆରିସା ପିଠା, ମିକ୍ସଚର, କୁକିଜ, ନୁଡୁଲ୍ସକୁ ବେଶ୍ ପସନ୍ଦ କରିଥିଲେ । ସେହିପରି ରାଜ୍ୟର ହସ୍ତତନ୍ତରେ ନିର୍ମିତ କରୁଣା ପାଟ, କନ୍ଧମାଳ ଅଦା, ସୋରିଷ, ପାଳୁଅ ଆଦି ସମସ୍ତଙ୍କର ବେଶ୍ ପସନ୍ଦଯୋଗ୍ୟ ଜିନିଷ ଭାବେ ସୁନାମ ଆଣିଥିଲା । ଓଡ଼ିଶା ପାଭିଲିୟନରେ ବୋଇତ ଉପରେ ରହିଥିବା ତନ୍ତ ବସ୍ତ୍ରକୁ ସମସ୍ତେ ପ୍ରଶଂସା କରିଥିଲେ । ଏଥିସହିତ ଚାନ୍ଦୁଆ, ପଟ୍ଟଚିତ୍ର, ପ୍ରସ୍ତର ମୂର୍ତ୍ତିକୁ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଉତ୍ତମ ପଦକ୍ଷେପ ପାଇଁ ଓଡ଼ିଶା ସ୍ୱତନ୍ତ୍ର ଜୁରି ପାଇଥିଲା । ସେହିପରି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ହାସଲ କରିବା ସହିତ ଓଡ଼ିଶାକୁ ‘ଜାତୀୟ ଜଳଶକ୍ତି ପୁରସ୍କାର-୨୦୨୨’ ମଧ୍ୟ ମିଳିଥିଲା ।

Get real time updates directly on you device, subscribe now.