ରାଜଧାନୀରେ ଆଜିଠୁ ନୂଆ ନିୟମ: ଏହି ଗାଡ଼ିରେ ପଡ଼ିବନି ପେଟ୍ରୋଲ-ଡିଜେଲ, ଖତ ହେବ 62 ଲକ୍ଷ ଗାଡ଼ି

ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୁରୁଣା ଯାନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ।

ନୂଆଦିଲ୍ଲୀ: ଆଜିଠୁ ବଦଳିଯାଇଛି ଅନେକ ନିୟକ । ଖାସ କରି ରାଜଧାନୀରେ ଲାଗୁହେଲା ନୂଆ ନିୟମ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୁରୁଣା ଯାନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । EOL (End of Life) ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିଠାରୁ ରାଜଧାନୀରେ EOL (ଏଣ୍ଡ-ଅଫ୍-ଲାଇଫ୍) ଲାଗୁ ହୋଇଛି। ଏହି ନିୟମଗୁଡ଼ିକ ଲାଗୁ ହେବା ସହିତ, ଆପଣଙ୍କର ପୁରୁଣା ଗାଡ଼ି ଆଜିଠାରୁ ଅକାମୀ ହୋଇଯାଇଛି । କାରଣ ଆଜିଠାରୁ ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ମିଳିବା ବନ୍ଦ ହୋଇଯିବ। ଯଦି ଆପଣଙ୍କର ପେଟ୍ରୋଲ ଚାଳିତ ଗାଡ଼ି ଅଛି ଏବଂ ଆପଣ ଏହାକୁ କିଣିବାର 15 ବର୍ଷରୁ ଅଧିକ ସମୟ ବିତିଯାଇଛି, ତେବେ ଆପଣ ପେଟ୍ରୋଲ ପାଇବେ ନାହିଁ।

ସେହିପରି, ଯଦି ଆପଣଙ୍କର ଡିଜେଲ ଚାଳିତ ଗାଡ଼ି ଅଛି ଏବଂ ଆପଣ ଏହାକୁ କିଣିବାର 10 ବର୍ଷରୁ ଅଧିକ ସମୟ ବିତିଯାଇଛି, ତେବେ ଆପଣ ଡିଜେଲ ପାଇବେ ନାହିଁ। ଏପରିକି 15 ବର୍ଷ ପୁରୁଣା ମୋଟରସାଇକେଲ ଏବଂ ସ୍କୁଟରଗୁଡ଼ିକୁ ମଧ୍ୟ ପେଟ୍ରୋଲ ମିଳିବ ନାହିଁ ।

ପୁରୁଣା ଗାଡ଼ି କଣ ହେବ ?

ଏବେ ଆପଣଙ୍କ ମନ ଭିତରେ ଏହି ପ୍ରଶ୍ନ ଉଙ୍କି ମାରୁଥିବା ଯେ, ଏବେ ଏହି ପୁରୁଣା ଗାଡ଼ି କଣ ହେବ ? ଯଦି ଆପଣଙ୍କର ମଧ୍ୟ ପୁରୁଣା ଗାଡ଼ି ଅଛି, ତେବେ ଆପଣ ଆପଣଙ୍କ ଗାଡ଼ିକୁ ସ୍କ୍ରେପ କରିପାରିବେ । ଯାନକୁ ସ୍କ୍ରେପିଂ କରିବା ପାଇଁ ଆପମହ୍କୁ ସରକାରୀ ପଞ୍ଜିକୃତ ସ୍କ୍ରେପ ସେଣ୍ଟର ଯିବାକୁ ପଡ଼ିବ । ସେଠାରେ ଗାଡ଼ି ଦେବା ପରେ ଆପଣଙ୍କୁ ଏକ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ, ଆପଣ ଆପଣଙ୍କ ପୁରୁଣା ଗାଡ଼ିକୁ ଯେକୌଣସି ସହରରେ ବିକ୍ରି କରିପାରିବେ, ଯେଉଁଠାରେ ଏହି ନିୟମ ଲାଗୁ ହୋଇ ନାହିଁ ।

ପୁରୁଣା ଯାନଗୁଡ଼ିକୁ ଜବତ କରାଯିବ, ଜରିମାନା ମଧ୍ୟ ଦେବାକୁ ପଡିବ

ଆଜିଠାରୁ ନୂତନ ନିୟମ ଲାଗୁ ହେବା ପରେ, ଯଦି ଦିଲ୍ଲୀରେ 15 ବର୍ଷରୁ ପୁରୁଣା ପେଟ୍ରୋଲ୍ ଇଞ୍ଜିନ୍ ଗାଡ଼ି ଏବଂ 10 ବର୍ଷରୁ ପୁରୁଣା ଡିଜେଲ୍ ଇଞ୍ଜିନ୍ ଗାଡ଼ି ଧରାପଡ଼େ, ତେବେ କେବଳ ସେଗୁଡ଼ିକୁ ଜବତ କରାଯିବ ନାହିଁ, ବରଂ ଭାରୀ ଜରିମାନା ମଧ୍ୟ ଆଦାୟ କରାଯିବ। ପୁରୁଣା କାର ଉପରେ ୧୦,୦୦୦ ଟଙ୍କା ଏବଂ ଦୁଇ ଚକିଆ ଯାନ ଉପରେ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏହି ନିୟମ ବର୍ତ୍ତମାନ କେବଳ ଦିଲ୍ଲୀରେ ପ୍ରଯୁଜ୍ୟ। ଏହି ନିୟମ ନୋଏଡା, ଗାଜିଆବାଦ, ଫରିଦାବାଦ, ଗୁରୁଗ୍ରାମ, ଆଗ୍ରା, ମଥୁରା ଭଳି ଦିଲ୍ଲୀର ଆଖପାଖ ସହରଗୁଡ଼ିକରେ ଲାଗୁ ହୋଇ ନାହିଁ। ପ୍ରକୃତରେ, ଏହି ନିୟମର ଉଦ୍ଦେଶ୍ୟ ହେଉଛି ରାଜଧାନୀ ଦିଲ୍ଲୀର ରାସ୍ତାରୁ ପୁରୁଣା, ଅତ୍ୟଧିକ ପ୍ରଦୂଷଣକାରୀ ଯାନଗୁଡ଼ିକୁ ହଟାଇବା, ଯାହାଦ୍ୱାରା ଦିଲ୍ଲୀର ବାୟୁ ପ୍ରଦୂଷଣ ମୁକ୍ତ କରାଯାଇପାରିବ ।