fbpx

ଭାରତର ସବୁଠାରୁ ପୁରାତନ ଏକ୍ସପ୍ରେସ୍ ଟ୍ରେନ କିଏ ଆପଣ ଜାଣନ୍ତି କି? ୧୯୧୨ରୁ ଆଜି ପର୍ଯ୍ୟନ୍ତ ଜାରି ରଖିଛି ଯାତ୍ରା

Advertisement

ନୂଆଦିଲ୍ଲୀ:କଣ ଆପଣ ଜାଣନ୍ତି କି ଇଂରେଜ ଜମାନାର ସବୁଠାରୁ ଦ୍ରୁତ ଟ୍ରେନ୍ ଆଜି ବି ଟ୍ରାକ୍ ରେ ଦୌଡୁଛି ବୋଲି । ଏହା ହେଉଛି ଭାରତର ସବୁଠାରୁ ପୁରାତନ ଏକ୍ସପ୍ରେସ୍ ଟ୍ରେନ୍ । ଏହି ଟ୍ରେନର ନାମ ପଞ୍ଜାବ ମେଲ୍ । ୧ ଜୁୂନ୍ ୧୯୧୨ରେ ଏହାର ଶୁଭାରମ୍ଭ ହୋଇଥିଲା । ସେବେଠାରୁ ଏହା ଲଗାତର ପଟରୀରେ ଦୌଡୁଛି ଆଉ କେବେ କ୍ଲାନ୍ତ ବି ହୋଇ ନାହିଁ । ଇଂରେଜ ସମୟର ଏହା ଭାରତର ସବୁଠାରୁ ଦ୍ରୁତ ଟ୍ରେନ୍ । ଯେତେବେଳେ ଦେଶରେ କରୋନା କାରଣରୁ ଲକଡାଉନ୍ ହୋଇଥିଲା ସେତେବେଳେ ଏହାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଏହି ଟ୍ରେନ୍ ୨୨ ମାର୍ଚ୍ଚ ୨୦୨୦ରୁ ବନ୍ଦ ଥିଲା ଏବଂ ୨୫୫ ଦିନ ପରେ ୧ ଡିସେମ୍ବର ୨୦୨୦ରେ ପଟରୀକୁ ଫେରିଥିଲା ।

ପଞ୍ଜାବ ମେଲ୍ ଦେଶର ସବୁଠାରୁ ପୁରାତନ ଟ୍ରେନ୍ । ଚଳିତ ସପ୍ତାହରେ ଏହାର ବୟସ ୧୧୧ ବର୍ଷ ହୋଇଛି । ସ୍ୱାଧୀନତା ପୂର୍ବରୁ ଇଂରେଜ ଅମଳରେ ଏହି ଟ୍ରେନ୍ ଇଟାରସୀ, ଆଗ୍ରା, ଦିଲ୍ଲୀ, ଅମୃତସର, ଲାହୋର ଓ ପେଶୱାର ମଧ୍ୟରେ ୨୪୯୬ କିଲୋମିଟର ପଥ ଯାତ୍ରା କରୁଥିଲା । ପ୍ରଥମରୁ ଏହାକୁ କେବଳ ଇଂରେଜମାନଙ୍କ ଲାଗି ଚଳାଚଳ କରାଯାଉଥିଲା । କିନ୍ତୁ ୧୯୩୦ରେ ଏଥିରେ ସାଧାରଣ ଜନତାଙ୍କ ଲାଗି ଥାର୍ଡ କ୍ଲାସ୍ ଡବା ଲଗାଯାଇଥିଲା ।

୧୯୧୨ରେ ଏହି ଟ୍ରେନ୍ ମୁମ୍ବାଇ ବନ୍ଦର ନିକଟସ୍ଥ ବାଲାର୍ଡ ପାୟର ମୋଲ୍ ଷ୍ଟେସନରୁ ଅବିଭାଜିତ ଭାରତର ପେଶୱାରକୁ ଚଳାଚଳ କରିଥିଲା । ସେତେବେଳେ ଏହା ଏକମାତ୍ର ଟ୍ରେନ୍ ଥିଲା ଯାହା ପେଶୱାରରୁ ଲୋକଙ୍କୁୁ ମୁମ୍ବାଇ ପର୍ଯ୍ୟନ୍ତ ପହଞ୍ଚାଉଥିଲା । ପ୍ରଥମେ ଏଥିରେ ୬ ଗୋଟି ଡବା ଯୋଡା ଯାଇଥିଲା । ୩ ଟି ଡବା ଯାତ୍ରୀଙ୍କ ଲାଗି ଏବଂ ଅନ୍ୟ ୩ଟି ଡାକ ଜିନିଷ ଓ ମେଲ୍ ନେବା ଲାଗି । ୩ ଯାତ୍ରୀ ଡବାରେ କେବଳ ୯୬ ଲୋକ ବସିବାର କ୍ଷମତା ଥିଲା । ୧୯୩୦ରେ ଏଥିରେ ତୃତୀୟ ଶ୍ରେଣୀ ଡବା ଲଗାଯାଇଥିଲା । ୧୯୪୫ରେ ଏଥିରେ ବାତାନୁକୂଳ ଶୟନଯାନ ଲଗାଯାଇଥିଲା । ୧୯୬୮ରେ ଏହି ଗାଡିକୁ ଡିଜେଲ ଇଂଜିନରେ ଝାନସୀ ପର୍ଯ୍ୟନ୍ତ ଚଲା ଯାଇଥିଲା । ପରେ ଏହା ନୂଆଦିଲ୍ଲୀ ପର୍ଯ୍ୟନ୍ତ ଆସିଥିଲା । ୧୯୮୦ରେ ଏହି ଟ୍ରେନ୍ ଇଲେକ୍ଟ୍ରିକ୍ ଇଂଜିନରେ ଭୁସାବଳ ପର୍ଯ୍ୟନ୍ତ ଚାଲିବାରେ ଲାଗିଲା ।

Get real time updates directly on you device, subscribe now.