fbpx

Olympics ଟିକେଟ ହାତ ମୁଠାରେ… ଏଥର ଅଲିମ୍ପିକ ଟିକେଟ ହାସଲ କଲେ ବକ୍ସର ଅମିତ ପଙ୍ଘାଲ

ନୂଆଦିଲ୍ଲୀ: ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହୋଇଛି । ଅଲିମ୍ପିକ୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘାଲ । ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ ପାଇଁ ଭାରତର ପ୍ରତିନିଧିତ୍ୱ କରିବେ ଅମିତ । ଦ୍ୱିତୀୟ ବିଶ୍ୱ କ୍ୱାଲିଫିକେସନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର-ଫାଇନାଲରେ ୫-୦ରେ ବିଜୟ ହାସଲ କରି ଅମିତ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି । ଏହି ବିଜୟ ସହ ୫୧ କେଜି ଭାରବର୍ଗରେ ଅଲିମ୍ପିକ କୋଟାରେ ନିଜ ନାମକୁ ସାମିଲ କରିଛନ୍ତି ବକ୍ସର ଅମିତ ପଙ୍ଘାଲ ।

ବିଶ୍ୱ ଚମ୍ପିଆନସିପରେ ଏକମାତ୍ର ପୁରୁଷ ବକ୍ସର ଭାବରେ ଭାରତକୁ ରୌପ୍ୟ ପଦକ ବିଜେତା କରାଇଥିଲେ ଅମିତ । କ୍ୱାର୍ଟର ଫାଇନାଲରେ ଲିୟୁଙ୍କୁ ୫-୦ରେ ହରାଇ ସେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକରେ ଖେଳିବାର ସୁଯୋଗ ହାସଲ କରିଛନ୍ତି । ଅଲିମ୍ପିକରେ ଖେଳିବା ପାଇଁ ଏକାମତ୍ର ସୁବର୍ଣ୍ଣ ସୁଯୋଗକୁ ସେ ସଫଳତାର ସହ ଗ୍ରହଣ କରିଛନ୍ତି ଏବଂ ଏଥିରେ ସେ ବାଜିମାତ୍ କରି ପୁଣିଥରେ ଅଲିମ୍ପିକରେ ପାଦ ଦେଇଛନ୍ତି । ଏହାସହିତ ନିଶାନ୍ତ ଦେବ(୭୧ କେଜି), ନିକହତ ଜରିନ୍(୫୦ କେଜି), ପୀତି ପାୱାର(୫୪ କେଜି) ଏବଂ ଲଭଲିନା ବୋରଗୋହେନ(୭୫ କେଜି)ଙ୍କ ଦଳରେ ସାମିଲ ହୋଇଛନ୍ତି ଅମିତ । ପୂର୍ବରୁ ଏମାନଙ୍କୁ ଅଲିମ୍ପିକ କୋଟା ହାସଲ ହୋଇଥିବା ବେଳେ ବର୍ତ୍ତମାନ ଅମିତ ପଙ୍ଘାଲ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ସୂଚନା ଥାଉ କି, ପୂର୍ବରୁ ଦୁଇଟି କ୍ୱାଲିଫାଇଙ୍ଗ ମ୍ୟାଚରେ ବିଶ୍ୱ ଚମ୍ପିଆନସିପ ବ୍ରୋଞ୍ଚ୍ଜ ପଦକ ହାସଲ କରିଥିବା ଦୀପକ ଭୋରିୟା ଅମିତଙ୍କ ଅଲିମ୍ପିକ ରାସ୍ତାରେ ବାଧା ସାଜିଥିଲେ । ଉଭୟ ମ୍ୟାଚରେ ଅମିତଙ୍କୁ ହରାଇ ସେ ଅଲିମ୍ପିକ ଟିକେଟରୁ ବାଦ୍ ଦେଇଥିଲେ । ତେବେ ଏଥର ଅମିତ ବାଜିମାତ୍ କରିଛନ୍ତି । ୨୦୧୮ ଏସିୟାଡ ଚମ୍ପିଆନ୍ ସୁଯୋଗର ଫାଇଦା ନେଇଛନ୍ତି ଅମିତ ପଙ୍ଘାଲ ।

Get real time updates directly on you device, subscribe now.