ଅଦମ୍ୟ ସାହସର ନିର୍ଭୁଲ ଅଭିଲିପି – ଗଣମାଧ୍ୟମ

ବିଶ୍ୱ ଗଣମାଧ୍ୟମ ଦିବସ ଅବସରରରେ ( by D. Shuvam)

ଗଣମାଧ୍ୟମ- ଯାହା ଉପରେ ନିର୍ଭର କରେ ସଭ୍ୟତାର ଉତ୍ଥାନ ଓ ପତନ ଏବଂ ଯିଏ ମହାସାଗରର ଅନ୍ତର୍ଦ୍ଦେଶରୁ ଆରମ୍ଭ କରି ଖେଳପଡିଆ ଯାଏଁ ସମସ୍ତ ଖବରକୁ ନିଚ୍ଛକ ରୂପେ ଉପସ୍ଥାପନ କରେ ସେ ଗଣମାଧ୍ୟମ । ତାପାଇଁ ସାରୁ ଗଛ ମୂଳରୁ ବେଙ୍ଗୁଲୀରାଣୀର କାହାଣୀ ଶୁଭେ । ଆଉ ସିଏ ଢେଙ୍କାନାଳରୁ ଢିଙ୍କିଶାଳ ଯାଏଁ ବି ଖବର ଯୋଗାଏ । ଶତାଦ୍ଧୀର ଆରମ୍ଭରୁ ଅନ୍ତ ଯାଏଁ ସେ ସମାଜର ମଙ୍ଗୁଆଳ ସାଜେ ଜନତାଙ୍କ ସେବାରେ ସେ ହିଁ ଗଣମାଧ୍ୟମ । ପଲ୍ଲୀରୁ ପାର୍ଲାମେଣ୍ଟ, ପଞ୍ଚାୟତରୁ ପୋଲିସ, ଛାତ୍ର ଠୁ ପ୍ରଫେସର ଆଉ ପୁରପଲ୍ଲୀର ପୁରାଙ୍ଗନା ଠାରୁ ରାଜରାସ୍ତାର ବିଳାସିନୀ ଯାଏଁ ଏହା ସାଜିଛି ସମ୍ପ୍ରତି ସମାଜର ଅଭିନ୍ନ ବେଦ । ଆକାଶ ଅସୀମ, ସଂଗ୍ରାମ ସୀମାହୀନ, ପରିବ୍ୟାପ୍ତ ଏ ସଂଗ୍ରାମର କ୍ଷେତ୍ର । ଶେଷ ହୁଏନି ସଂଗ୍ରାମର ଯାତ୍ରା । ସେହି ସଂଗ୍ରାମର ସାଥି ହୋଇ ସିଏ ଅନୁଭବକୁ ବାସ୍ତବରେ ରୂପାନ୍ତରିତ କରେ, ସ୍ପର୍ଶର ସ୍ପର୍ଶକାର ଆଉ ଅନୁଭବର ଅନୁଭବୀଟିଏ, ଯିଏ ଅସ୍ତ୍ର ସାଜି ସମାଜକୁ ରକ୍ଷାକରେ, ପଲ୍ଲୀରୁ ପାର୍ଲ୍ୟାମେଣ୍ଟ ଯାଏଁ ରୋଚକ ତଥ୍ୟର ମେସେଞ୍ଜର ସାଜେ, ସେ ବନ୍ଧୁକର ଗୁଳିଠାରୁ ବି ଅଧିକ ଶକ୍ତିଶାଳୀ, ଯିଏ ଯେକୋ÷ଣସି ବୁଲେଟ ପ୍ରୁଫକୁ ବି ଭେଦ କରି ଯାଇପାରେ । ଜୀବନ ଯମୁନାରେ ସେ ନିଥର ଆଉ ନିଧାର୍ଯ୍ୟ ସଂଜ୍ଞାରେ ସଂଜ୍ଞାୟିତ- ସେ କେହି ନୁହେଁ, ସେ ଗଣମାଧ୍ୟମ । ସକାଳର ଚା’କପ ସାଙ୍ଗକୁ ଖବରକାଗଜଟିଏ ନଥିଲେ ଯୋଡି ଜମେନା, ସକାଳର କପ୍ ଯେମିତି ଖବରକାଗଜର ଖବରକୁ ଅନେଇ ବସିଥାଏ, ସେମିତି ଏକ ଅଦମ୍ୟ ସାହସର ନିର୍ଭୁଲ ଅଭିଲିପି ହେଉଛି ଗଣମାଧ୍ୟମ ।

ଏକବିଂଶ ଶତାବ୍ଦୀ – ଯାହା ସମୟର ମୂଲ୍ୟ କ’ଣ ହୃଦବୋଧ କରେ । ଏଠି ପ୍ରତି ସେକେଣ୍ଡର ମୂଲ୍ୟ ବି ବହୁ ଗୁରୁତ୍ୱପୂର୍ଣ୍ଣ । ଟଙ୍କା ଆଜିର ଦୁନିଆର ଏକ ପୁଷ୍ଟିଦାୟକ ସାର, ଯାହାର ଗଛ ଦୁର୍ନୀତି ସାର ଦିଆଯାଉଛି ତତ୍ସହିତ ଗଛ ବି ବଢ଼ିଚାଲୁଛି ଏଥିରେ ହେଳା ନାହିଁ । ଲୋକେ ସମ୍ବାଦପତ୍ର ପଢୁଛନ୍ତି, ଖବର ପାଉଛନ୍ତି, ସବୁଦିନ ବିଦ୍ୟାଳୟର ପ୍ରାଥନା କ୍ଲାସ ସରିବା ପରେ ଖବର କାଗଜ ପଢ଼ାଯାଏ । କିନ୍ତୁ ଖବର ସଂଗ୍ରହ କରୁଥିବା ଜନତାର ପ୍ରତିନିଧି ସାଜୁଥିବା ଏହି ଗଣମାଧ୍ୟମ ପ୍ରତିନିଧି ମାନଙ୍କ କଥା କିଏ କ’ଣ କେବେ ଚିନ୍ତା କରେ? ଜମା ନାହିଁ, ଲୋକଙ୍କ ଭାବନା ଏଇଆ କି ପ୍ରତିନିଧି ତ କିଏ ଗୋଟେ ଅଛି ଆଉ ସେ ତ ଖବର ସଂଗ୍ରହ କରିବ ଆଉ ଆମେ ପଢିବା ଲୋକ ପଢିବା, ବାକି କଥା ଆମେ କାହିଁ ବୁଝିବା ଯେ? ଆପେ ବଂଚିଲେ ବାପରନାଁ । ଏହା କହିବାକୁ କଷ୍ଟ ହେଲେ ବି ଅପ୍ରିୟ ସତ । ଏହା ଗ୍ରହଣ କରିବାକୁ ଆମେ ବାଧ୍ୟ ।

ଦୁଃଖର ବିଷୟ ଏହାକି ସରକାରଙ୍କ ତରଫରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା ଦେବାପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା କରାଗଲା ନାହିଁ । ଯେଉଁ କଲମ ଦିନେ ସାରାଦୁନିଆକୁ ହୁଲୁସ୍ତୁଲୁ କରିଦେବାର ସାହସ ଜୁଟେଇଥିଲା, ଆଜି ସେ କଲମର ମୁନ ଭାଙ୍ଗିବାକୁ ବସିଲାଣି । ସତରେ କ’ଣ ଏହା ଆମ ଗଣତନ୍ତ୍ରର ସଫଳ ଫର୍ଦ୍ଧ? ସ୍ୱାଧୀନତାର ଏତେ ବର୍ଷ ବିତିଗଲା ସତ ହେଲେ ସ୍ୱାଧୀନତାର ସ୍ୱାଦ ଚାଖିବା ଆଜିବି କାଠିକର ପାଠ ହୋଇଗଲା । ଆମର ସରକାର ପ୍ରତ୍ୟକ୍ଷ ସରକାର । ନିର୍ବାଚନ ଲୋକମାନଙ୍କର ଶାସନକୁ ବୁଝାଏ । ଆମର ଭୋଟ, ଆମ ସରକାର । ଯେଉଁ ପ୍ରତିନିଧିମାନେ ଗଣମାଧ୍ୟମର ଆଧାର, ସେମାନେ ବି ଜଣେ ଜଣେ ମଣିଷ, ସେମାନେ ବି ଭୋଟର ଆଉ ସେମାନଙ୍କର ବି ଶାସନ । ତେବେ ଯଦି ଜଣେ ନିଚ୍ଛକ ଓ ସତ୍ୟ ଖବର ପରିପ୍ରକାଶ କରୁଛି, ତେବେ ଏଥିରେ ଏତେ ବିରୋଧ କ’ଣ ପାଇଁ? ଆଉ ତା’ଉପରେ ପୁଣି ଗାଳି ଗୁଲଜ ଆଉ ଧମକପୂର୍ଣ୍ଣ ମନ୍ତବ୍ୟ । ଏଇଥିପାଇଁ କ’ଣ ଜଣେ କଲମ ଧରିବାକୁ ପ୍ରତିଜ୍ଞା କରିଥିଲା? ଏଇଥିପାଇଁ କ’ଣ ଜଣେ ଗଣତନ୍ତ୍ରର ପ୍ରହରୀ ବୋଲି କୁହାଯାଉଥିଲା?

ଏବେ ସମୟ ବଦଳିଲାଣି, ଆମକୁ ବି ବଦଳିବାକୁ ପଡିବ । ଖଣ୍ଡା ବନ୍ଧୁକକୁ ଏବେ ବିଦାୟ ଦେବାର ସମୟ । ଏବେ କଲମର ମୁନକୁ ଶକ୍ତିଶାଳୀ କରିବାର ବେଳ । କଲମ ଶକ୍ତିଶାଳୀ କଲେ, ଦେଶ ପ୍ରଗତିଶୀଳ ହେବ । ଦୁର୍ନୀତିଖୋର ଲୋକଙ୍କ ବିଲୋପ ଘଟିବ । ଖାରବେଳ ଆଉ ଅଶୋକଙ୍କ ଶାସନରେ ଶାସିତ ଆମେ, ଆମେ ଡରିବା ଶିଖିନୁ ।

ଖାଦ୍ୟ ପାଇଁ ଏକଦା ପାଗଳ ପ୍ରାୟ ହୋଇଉଠୁଥିବା ବିଳାସୀ ମଣିଷ ଆଜି ସୁଉଚ୍ଚ ଅଟ୍ଟାଳିକାରେ ଅବସ୍ଥାନ କରି ଅନ୍ତରୀକ୍ଷ ଆଡେ ଦୃଷ୍ଟିପାତ କରୁଛି । ତ୍ରିକାଳଜ୍ଞଙ୍କପରି ଅତୀତକୁ ମାପି ପାରୁଛି । ଶେଷ ପାଣ୍ଡବ ସହଦେବଙ୍କ ପରି ନିଜ ଭବିଷ୍ୟତ ଗଣନା ବି କରିପାରୁଛି । ଏହାରି ଭିତରୁ ଉଦ୍ଭୁତ ହୋଇଛି ଆଧୁନିକ ମଣିଷର ଐକାନ୍ତିକ ଆବଶ୍ୟକତା- ଗଣମାଧ୍ୟମ ନିଜ ଜିଜ୍ଞାସୁକୁ ଚରିତାର୍ଥ କରିବା ପାଇଁ ମଣିଷ ଆଉ ପାଦେ ଆଗେଇ ଯାଇଛି । ସାଧାରଣ ଜନତାଙ୍କ ପାଇଁ କିଛି କହିବାର ସ୍ୱପ୍ନରେ ମତୁଆଲା ହୋଇଛି । ସେଇ ଗଣମାଧ୍ୟମ ହେଉଛି ସାଧାରଣ ଜନତାର ବିଶ୍ୱବିଦ୍ୟାଳୟ ।
କହିବା ବାହୁଲ୍ୟ ଏହିଯେ ସତରେ ମନରେ ପ୍ରଶ୍ନ ଉଠେ ଯଦି ଗଣମାଧ୍ୟମ ଜନତାଙ୍କୁ ସୁରକ୍ଷା ଦେବାକୁ ଜାଗ୍ରତ ପ୍ରହରୀ ହୋଇପାରେ ତେବେ ଯଦି ଏଥିରେ ସଚ୍ଚୋଟତା ପ୍ରକାଶ କରାଯାଏ, ତେବେ ଆକ୍ରମଣ କି ପ୍ରତିବାଦ କ’ଣ ପାଇଁ କରାଯାଉଛି? ‘ସତ କହିବାକୁ କିଆଁ ଡରିବି’ ର ଅର୍ଥ କଣ ଆଜି ନିଷ୍ଫଳ? ଯିଏ ଦିନେ ସମାଜକୁ ରକ୍ଷାକରିବାର ପ୍ରତିଶୃତି ଦେଇଥିଲା ଆଜି ସେ ଖଣ୍ଡାର ଚୋଟ ତଳେ ମୁଣ୍ଡ ରଖିବା କ’ଣ ସାର ହେବ? ବଳିଷ୍ଠ ସମ୍ପାଦକୀୟ ହେଉ କି ସତ୍ୟତାର ପଟୁଆରାକୁ ପ୍ରକାଶ କଲେ କ’ଣ ମୃତ୍ୟୁର ବିଭିଷୀକାକୁ ସାମ୍ନା କରିବାକୁ ପଡିବ?
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ । ସାରା ବିଶ୍ୱର ନୈତିକ ଓ ରାଜନୈତିକ ବିବେକ ଗଣମାଧ୍ୟମ । ସତ୍ୟ ସମ୍ବାଦ ପରିବେଷଣ ଏହାର ଧର୍ମ । ଜନତାର ଦୁଃଖକୁ ପ୍ରଶାସନ ପାଖେ ପହଞ୍ଚାଇବାର ଏକ ମାଧ୍ୟମ ଗଣମାଧ୍ୟମ । ଗୁଣ୍ଡୁଚିମୂଷା ଭାବେ ନିଜର ସବୁ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କଲେ ବି କଣ ପାଇଁ ଏବେ ଗଣମାଧ୍ୟମର ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି? ମନ୍ତ୍ରୀଠୁ ଆରମ୍ଭ କରି ରାଜନେତା, ହରି ଦାସରୁ ଆରମ୍ଭ କରି ହର୍ଷଦ ମେହେଟା ଯାଏଁ ସମସ୍ତଙ୍କ ଅନ୍ୟାୟର ପର୍ଦ୍ଧାଫାସ କରିଦିଏ ଗଣମାଧ୍ୟମ ।

ସମାଜ ଓ ସଂସ୍କୃତିର ସମର୍ଥ ସରକାର ଆମ ଗଣମାଧ୍ୟମ । ସମାଜ ଜୀବନର ବହୁବିଧ ଘଟଣାକୁ ଛାତିତଳେ ଚାପିରଖି ସତ୍ୟ ସମ୍ବାଦ ପରିବେଷଣ କରିବାର ଶକ୍ତି ରଖେ ଗଣମାଧ୍ୟମ । ଜାତୀୟ ପ୍ରେସ ଦିବସ ଆସିଲେ ଗଣମାଧ୍ୟମ ଦିବସ ଆସେ । ଫୁଲତୋଡ଼ା ଆଉ ପ୍ରଶଂସାର କେଇଟା ଶବ୍ଦରେ ଅତିଥି ମାନେ ପୋତିପକାନ୍ତି ଗଣମାଧ୍ୟମ ପ୍ରତିନିଧିଠୁ ଆରମ୍ଭ କରି ଗଣମାଧ୍ୟମ ମାଲିକ ପର୍ଯ୍ୟନ୍ତ । ହେଲେ ସେମାନଙ୍କ ସୁରକ୍ଷା- ସମାଧାନ ନା ପ୍ରଶ୍ନବାଚୀ ତାହା ଏବେବି ସମସ୍ତଙ୍କ ଚକ୍ଷୁ ଆଢୁଆଳରେ ।

ଆକସ୍ମିକ ସମ୍ବାଦ ହେଉ କି ଜନମାନସର ଅଶେଷ ସାଧନ ପାଇଁ ଯେକୌଣସି ସତ୍ୟକୁ ଲୋକ ଲୋଚନକୁ ଆଣିବାରେ ହେଳା କରିନଥାଏ ଗଣମାଧ୍ୟମ । ଭୂମିକମ୍ପ ହେଉ କି ମୁଦ୍ରାସ୍ଫୀତି, ଦରଦାମର ଅଯଥା ବିପଣନ ହେଉକି ରାଜନୀତି ପାଣି ପାଗର କୁହୁକ କଥା ଏସବୁକୁ ଅତ୍ୟନ୍ତ ନିଚ୍ଛକ ଭାବେ ଉପସ୍ଥାପନ କରେ ଗଣମାଧ୍ୟମ । ମଣିଷ ବିଜ୍ଞାନ ବଳରେ ବଳିୟାନ ହୋଇ ନିତ୍ୟନୂତନ ଗବେଷଣା କରିବାରେ ପ୍ରବୃତ୍ତ ରହିଛି ସତ, ହେଲେ ଏହା ଭିତରେ ଗଣମାଧ୍ୟମ ଯେ ଏମାନଙ୍କୁ ଏକ ନିଆରା ପରିଚୟ ଦେଇଥାଏ ଏହା ଅସ୍ୱୀକାର କରାଯାଇନପାରେ ।

ତେବେ ଯଦି ଗଣମାଧ୍ୟମ ଲୋକଙ୍କ ପାଇଁ ନିଜର ସବୁକିଛି ବଳିଦେଇପାରେ, ତେବେ ସାଧାରଣ ଜନତା ଚାହିଁଲେ କଣ ସେମାନଙ୍କୁ ସୁରକ୍ଷା ଦେଇପାରିବେନି? ରାଜନୀତିର ଦଳ ନିର୍ବିଶେଷରେ ଯଦି କିଛି ତଥ୍ୟ ଉପସ୍ଥାପନ କରାଗଲା, ତେବେ କଣ ମରଣାନ୍ତକ ଆକ୍ରମଣର ସାମ୍ନା କରିବାକୁ ହେବ? ଯଦି ସମାଜ ଓ ସଂସ୍କୃତି ବୀଣାର ସ୍ୱରତନ୍ତ୍ରୀ ବେସୁରା ହୋଇଯିବ, ଯଦି ସାଧାରଣ ଜନତାର ବିଶ୍ୱବିଦ୍ୟାଳୟ ଦୋହଲି ଯିବ, ତାହେଲେ ସବୁକିଛି ରସାତଳଗାମୀ ହୋଇଯିବ । ଖାଲି ଲୋକ ଦେଖାଣିଆ, କଣ ପାଇଁ ସରକାର ସୁରକ୍ଷା ଦେବାରେ ବିଫଳ ହେଉଛନ୍ତି?? ଯିଏ ଦିନେ ସୁଖରାମଙ୍କ ପରି ଲୋକର ମୁଖ ଖୋଲିଲା ଯଦି ତାକୁ ସୁରକ୍ଷା ଦିଆଯାଇପାରୁନି ତାହେଲେ ସମୟ ଆସିବ ଶହ ଶହ ସୁଖରାମ ଜନ୍ମ ନେବେ ସମାଜରେ । ସେତେବେଳେ ନା ଥିବ ଗଣମାଧ୍ୟମ ନା ଥିବ ରକ୍ଷାକବଚ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି ସବୁ ବିଭାଗରେ ସବୁଦିନ ଖବର ପ୍ରକାଶ କରିବାର ସଚ୍ଚୋଟତା ଥାଏ ଗଣମାଧ୍ୟମ ନିକଟରେ ।

ଏ ସମ୍ପର୍କରେ ପଦୁଟିଏ କହିବାକୁ ଚାହେଁ, ଗଣମାଧ୍ୟମ ପ୍ରତିନିଧି ବି ସଚ୍ଚୋଟତା ଓ ନିର୍ଭିକତା ସହ ଖବର ପ୍ରକାଶନ ସହିତ କୌଣସି ଦଳଗତ ସମ୍ପର୍କ ନ ରଖି ଜନତାର ମଙ୍ଗଳ ଓ ଅଶେଷ ନିର୍ବିଶେଷରେ କାର୍ଯ୍ୟ କଲେ ଜାତିପୁଷ୍ପର ସୁରଭରେ ସୁରଭିତ ହୋଇପାରିବ ଭାରତବର୍ଷ ।
ହେ ଗଣମାଧ୍ୟମ.. ପୁଣି ସେ ବିର୍ଜାଫର ଆଉ ସୁଖରାମର ଅନ୍ତ କରିଦିଅ, ସେଇ ବୃତାସ ରୂପୀ ରାକ୍ଷସ ମାନଙ୍କୁ ଖବର ପ୍ରକାଶନ ଦ୍ୱାରା ଧ୍ୱଂସ କରିଦିଅ । ଆଉ ସମାଜରୁ ଦୁର୍ନୀତିର କ୍ଲିଓପାଟ୍ରାକୁ ଶେଷ କରିଦିଅ । ବିଶ୍ୱ ଗଣତନ୍ତ୍ରମୟର ପୁଷ୍ପରେ ପୁଷ୍ପିତ ହେବ, ଏଥିରେ ସନ୍ଦେହ ନାହିଁ ।