fbpx

Budget 2024: ଦିନେ ଭାରତର ରେଳ ବଜେଟ ଥିଲା ଅଲଗା, ସ୍ୱାଧୀନ ଭାରତରେ କେବେ ପ୍ରଥମଥର ଆସିଥିଲା ସଂଯୁକ୍ତ ବଜେଟ

ଓଡିଶା ଭାସ୍କର: ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ଏହି ବଜେଟରେ ଭାରତର ରେଳୱେ ଖର୍ଚ୍ଚ ଓ ରୋଜଗାରର ମଧ୍ୟ ହିସାବ ରହିବ । ତେବେ ଜାଣନ୍ତି! କିଛି ବର୍ଷ ପୂର୍ବରୁ ରେଳ ବଜେଟ ଭିନ୍ନ ଭାବରେ ଆଗତ ହେଉଥିଲା । ମାତ୍ର, ଏହାକୁ ପୂର୍ଣ୍ଣାଙ୍ଗ ବଜେଟରେ ସାମିଲ କରାଯାଇ ସଂଯୁକ୍ତ ବଜେଟକୁ ଆଗତ କରାଗଲା ।

ରେଳ ବଜେଟ ୨୦୧୭ ମସିହା ପୂର୍ବରୁ ଅଲଗା ଆଗତ ହେଉଥିଲା । ମାତ୍ର ଅରୁଣ ଜେଟଲୀ ସ୍ୱାଧୀନ ଭାରତର ପ୍ରଥମ ସଂଯୁକ୍ତ ବଜେଟ ଆଗତ କରି ୯୨ ବର୍ଷର ପୁରୁଣା ପରମ୍ପରାକୁ ଭାଙ୍ଗିଥିଲେ । ପ୍ରକାଶଥାଉ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ୩.୦ ସରକାରର ପ୍ରଥମ ସାଧାରଣ ବଜେଟ ଆଗତ କରିବାକୁ ଯାଉଛନ୍ତି । କହିରଖୁ, ବଜେଟ ହେଉଛି ସରକାରଙ୍କ ଖର୍ଚ୍ଚ ଓ ରୋଜଗାରର ହିସାବକିତାବ । ଏଥିରେ ଉଲ୍ଲେଖ ଥାଏ କେଉଁ ବିଭାଗକୁ କେତେ ଟଙ୍କା ଆବଣ୍ଟିତ କରାଯିବ । ୨୦୨୩-୨୪ ବର୍ଷର ବଜେଟରେ ସର୍ବାଧିକ ଟଙ୍କା ରେଳ ମନ୍ତ୍ରାଳୟକୁ ହିଁ ଦିଆଯିବ । ଏଥିରେ କିଛି ଦ୍ୱିମତ ନାହିଁ ।

ପୂର୍ବରୁ ସଂସଦରେ ୨ ଟି ବଜେଟ ଆଗତ ହେଉଥିଲା । ଗୋଟିଏ ରେଳ ବଜେଟ ଓ ଆରଟି ସାଧାରଣ ବଜେଟ । ମାତ୍ର ଭାରତ ସରକାର ୨୧ ସେପ୍ଟେମ୍ବର ୨୦୧୬ ମସିହାରେ ସାଧାରଣ ବଜେଟ ସହ ରେଳ ବଜେଟର ବିଲୟକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାପରେ ସ୍ୱାଧୀନ ଭାରତର ପ୍ରଥମ ସଂଯୁକ୍ତ ବଜେଟ ସଂସଦରେ ୨୦୧୭ ମସିହାରେ ଆଗତ ହୋଇଥିଲା । କହିରଖୁ, ଭାରତରେ ବଜେଟ ଆଗତ କରିବା ହେଉଛି ୧୬୦ ବର୍ଷର ଏକ ଦୀର୍ଘ ପରମ୍ପରା । ୧୯ ଶତାବ୍ଦୀରୁ ରେଳ ପରିବହନ ଓ ଯାତାୟତର ଏକ ପ୍ରମୁଖ ବିକଳ୍ପ ହୋଇ ରହିଆସିଛି । ଦେଶର ଅର୍ଥ ଓ ସାମାଜିକ ବ୍ୟବସ୍ଥାରେ ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବଜାୟ ରଖେ । ୧୯୨୪ ମସିହା ବେଳକୁ ଭାରତରେ ରେଳ ବଜେଟର ଅଂଶ ପ୍ରାୟ ୭୦ ପ୍ରତିଶତ ହୋଇ ସାରିଥିଲା । ସ୍ୱାଧୀନ ଭାରତରେ ରେଳ ମନ୍ତ୍ରୀ ଜାଁନ ମଥାଇ ପ୍ରଥମ ରେଳ ବଜେଟ ଆଗତ କରିଥିଲେ ।

Get real time updates directly on you device, subscribe now.