fbpx

ଦୀପାବଳୀ ସରିଲାଣି, ବାଣନିଶା ଯାଉନି: ବାଣ ଭିଡ଼ୁଥିବା ବେଳେ ଘଟିଲା ବିସ୍ଫୋରଣ, ଅକାଳରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଲୋକପର ପର୍ବ ଦିପାବଳୀ ବର୍ଷକୁ ଥରୁଟିଏ ଆସିଥାଏ । ତେଣୁ ଏହି ଉତ୍ସବକୁ ଖୁବ୍ ଧୁମଧାମରେ ସମସ୍ତେ ମନାଇବାକୁ ଯାଇ ବିଭିନ୍ନ ପ୍ରକାରର ବାଣ ଫୁଟାଇଥାନ୍ତି । ତେବେ ଅନେକ ସମୟରେ ବାଣ ମାରିବାର ଖୁସି ପାଇଁ ଜୀବନ ଚାଲିଯାଇଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ । ବାଣ ନେଇଯାଇଛି ଜଣେ ଯୁବକଙ୍କର ଜୀବନ ।

ଦୀପାବଳୀ ପର୍ବ ସରିବାର ତିନିଦିନ ବିତିଯାଇଥିଲେ ଏବେ ବି ଲୋକଙ୍କ ମନରୁ ବାଣ ମାରିବାର ନିଶା ଉତୁରି ନାହିଁ । ଏପରି ଭାବେ ଖଲ୍ଲିକୋଟ ଅଞ୍ଚଳରେ ବାଣ ଭିଡ଼ୁଥିବା ସମୟରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ଯୁବକ ଜଣଙ୍କର ନିଜ ଛାତ ଉପରେ ବାଣ ଭିଡ଼ୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ବାଣ ଭିଡ଼ୁଭିଡ଼ୁ ହଠାତ୍ ବିସ୍ଫୋରଣ ଘଟିବାରୁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଆଜି ସକାଳୁ ସକାଳୁ ଖଲ୍ଲିକୋଟର କରଣସାହିରେ ଏହି ଅଘଟଣ ଦେଖିବାକୁ ମିଳିଛି ।

ଗତ ୨୫ ତାରିଖରେ ଦିପାବଳୀ ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବଡ଼ସୁଆଁଳ ଗ୍ରାମରେ ମଧ୍ୟ ବାଣ ବିସ୍ଫୋରଣ ଘଟିଥିଲା । ଉକ୍ତ ବିସ୍ଫୋରଣରେ ମୋଟ ୪ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାଣ ମରାକୁ ନେଇ ପ୍ରଶାସନ ପକ୍ଷରୁ ଯେତେ ସଚେତନତା ଜାରି କରାଗଲେ ମଧ୍ୟ ଅନେକ ଲୋକ ଏହାକୁ ବେଖାତିର କରିଥାନ୍ତି । ଫଳରେ ଏଥିରେ ଅନେକ ବ୍ୟକ୍ତି ମୃତାହତ ହୋଇଥାନ୍ତି ।

Get real time updates directly on you device, subscribe now.