ମହିଳା ସଶକ୍ତିକରଣ, ସ୍ବରୋଜଗାର ଲକ୍ଷ୍ୟରେ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ବର– ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି । ଭୁବନେଶ୍ବର ଲୋକସଭା କ୍ଷେତ୍ରର ମାନନୀୟା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା କଲରଟୋନ୍ ନାମକ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ ହୋଇଯାଇଛି । ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଅଂଚଳରେ ଏକ ଭବ୍ୟ ଶିଳାନ୍ୟାସ କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା । ଆୟୋଜିତ ଉତ୍ସବରରେ ଭୁବନେଶ୍ବର ସାଂସଦଙ୍କ ବ୍ୟତୀତ ଖୋର୍ଦ୍ଧା ଏବଂ ଜୟଦେବ ବିଧାୟକ ଥିଲେ ।

ଏହି ଅସବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଜୟଦେବ ବିଧାନସଭା ମଣ୍ଡଳୀର ଆଖପାଖ ଲୋକ ଏହାଦ୍ବାରା ଉପକୃତ ହେବେ । ବିଶେଷ କରି ଏହି ଗାରମେଣ୍ଟ କମ୍ପାନୀ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ଗାରମେଣ୍ଟ କମ୍ପାନୀ ସ୍ଥାପନ ହେବ । କଲରଟୋନ୍ ନାମକ ଗାରମେଣ୍ଟ କମ୍ପାନୀ, ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶରେ ସହାୟକ ହେବ ବୋଲି କହିଛନ୍ତି ଅପରାଜିତା । ଏଥିସହ କମ୍ପାନୀରେ ୫ ହଜାର ମହିଳାଙ୍କ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ । ଜଗନ୍ନାଥପୁର ଅଂଚଳର ମହିଳାଙ୍କୁ କାହାକୁ ହାତ ପତାଇବାକୁ ପଡିବ ନାହିଁ ବୋଲି କହିଛନ୍ତି ଷଡଙ୍ଗୀ ।

ଏହି ଗାରମେଣ୍ଟ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇ ମହିଳାମାନେ ମାସିକ ୧୦ରୁ ୧୨ ହଜାର ଟଙ୍କା ରୋଜଗାର କରିପାରିବେ ବୋଲି ନିଜର ସମ୍ବୋଧନରେ କହିଛନ୍ତି ଭୁବନେଶ୍ବର ସାଂସଦ । କଲରଟୋନ୍ ପରି ଏକ ଗାରମେଣ୍ଟ କମ୍ପାନୀ ଜଗନ୍ନାଥପୁର ଅଂଚଳରେ ସ୍ଥାପନ ହେବାକୁ ଯାଉଥିବା ନେଇ ସ୍ଥାନୀୟ ଅଂଚଳରେ ଲୋକେ ଖୁସି ପ୍ରକାଶ କରିଛନ୍ତି ।