fbpx

ଗୋଟିଏ ମାସର ଲୁ ବିଗାଡିଦେଲା ଖେଳ, ଗହମ ରପ୍ତାନୀରେ ମୋଦୀ ସରକାରଙ୍କ ପ୍ଲାନ ମାରିଲା ଫେଲ୍ 

ନୂଆଦିଲ୍ଲୀ: ଭାରତ ବିଶ୍ଵରେ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ସେହି ଅନୁରୂପ ଯୋଜନା ପ୍ରସ୍ତୁତ କରି ସେ ଦିଗରେ ପଦକ୍ଷେପ  ନେବା ଆରମ୍ଭ ମଧ୍ୟ କରିଥିଲେ କେନ୍ଦ୍ର ସରକାର। ହେଲେ ଅଚାନକ ଭାରତ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଛି। ଭୀଷଣ ଗରମ କାରଣରୁ ଶସ୍ୟ ଉତ୍ପାଦନ ହ୍ରାସ ପାଇବା ଏବଂ ଘରୋଇ ଖାଦ୍ୟ ଦର ବୃଦ୍ଧି ଘଟିବା ଏହା ପଛର କାରଣ ହୋଇଥିବା କୁହାଯାଉଛି। ଭାରତର ଏହି କଟକଣାରେ ବିଶ୍ଵରେ ଖାଦ୍ୟ ଦରବୃଦ୍ଧି ଘଟିବାର ସମ୍ଭାବନା ରହିଛି, ଯେଉଁଠି ୟୁକ୍ରେନ ସଙ୍କଟ କାରଣରୁ ଗହମ ଯୋଗାଣ ରେକର୍ଡ ସ୍ତରରେ ପହଞ୍ଚିଥିଲା।

ଭାରତ ବିପୁଳ ମାତ୍ରାରେ ଗହମ ରପ୍ତାନୀ କରିବାକୁ ଆଶା ରଖିଥିଲା। କାରଣ ସରକାର ଫେବୃଆରୀରେ ୧୧୧ ମିଲିୟନ ଟନ ଗହମର ରେକର୍ଡ ଉତ୍ପାଦନ ଅନୁମାନ କରିଥିଲା। ହେଲେ ମାର୍ଚ୍ଚ ମଧ୍ୟଭାଗରୁ ଏକ ମାସ ପର୍ଯ୍ୟନ୍ତ ଜାରି ହିଟ୍ ଓ୍ଵେଭ୍ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଫଳରେ ସରକାରଙ୍କୁ ଆନୁମାନିକ ଉତ୍ପାଦନ ୫.୭ ପ୍ରତିଶତ ଅର୍ଥାତ ୧୦୫ ମିଲିୟନ ଟନ କମ କରିବାକୁ ପଡିଛି।

କେନ୍ଦ୍ର ସରକାର ଶୁକ୍ରବାର ରାତିରେ ଏକ ଅଧିସୂଚନା ଜାରି କରି ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଭାରତ ସଂପ୍ରତି ଦୁନିଆକୁ ଖୁଆଇବାକୁ ପ୍ରସ୍ତୁତ।

କମ ଉତ୍ପାଦନ କାରଣରୁ ସରକାରଙ୍କ ଉପରେ ସବସିଡିରେ ଦିଆଯାଉଥିବା ଶସ୍ୟର ଆବଶ୍ୟକତା ପ୍ରଥମେ ପୂରଣ କରିବା ପାଇଁ ଚାପ ପଡିଥିଲା। ଉତ୍ପାଦନରେ ଅପ୍ରତ୍ୟାଶିତ ହ୍ରାସ ଘଟିବା ସରକାରଙ୍କୁ ଗହମ କ୍ରୟରେ ନିଜର ଲକ୍ଷ୍ୟକୁ ୪୪ ମିଲିୟନ ଟନରୁ ହ୍ରାସ କରି କେବଳ ୧୯.୫ ମିଲିୟନ ଟନ କରିବାକୁ ବାଧ୍ୟ କରିଛି। ଏହାର ଗୋଟିଏ ସପ୍ତାହ ପୂର୍ବରୁ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଥିଲେ, ଦେଶରେ ଖାଦ୍ୟ ଶସ୍ୟ ମହଜୁଦ ରହିଛି ଏବଂ ରପ୍ତାନୀରେ ଅଙ୍କୁଶ ଲଗାଇବାର କୌଣସି ସମ୍ଭାବନା ନାହିଁ।

 

Get real time updates directly on you device, subscribe now.