fbpx

ଭାରତରେ ପ୍ରତି ୪ ମିନିଟରେ ଜଣେ କରୁଛି ଆତ୍ମହତ୍ୟା, ମହିଳାଙ୍କ ଅପେକ୍ଷା ପୁରୁଷ ବେଶି ଶିକାର: ରିପୋର୍ଟ

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ସମସ୍ତଙ୍କର ନିଦ ହଜାଇ ଦେଇଛି । ଭାରତରେ ପ୍ରତି ୪ ମିନିଟରେ ଜଣେ ଆତ୍ମହତ୍ୟା କରୁଛି । ଏଥିରେ ୧୮ରୁ ୩୦ ବର୍ଷୀୟ ଯୁବକ ବେଶି ସାମିଲ ରହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଅନୁଯାୟୀ, ବିଶ୍ୱରେ ପ୍ରତ୍ୟେକ ବର୍ଷ ପାଖାପାଖି ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି ।

ଭାରତରେ ଗତ ୨୦୨୦ରେ ୧.୫୩ ଲକ୍ଷ ଲୋକ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହା ୧.୬୪ ଲକ୍ଷକୁ ବୃଦ୍ଧି ପାଇଥିଲା । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଆତ୍ମହତ୍ୟା ମାମଲା ଅଧିକ ଦେଖିବାକୁ ମିଳୁଛି । ୧୮ରୁ ଅଧିକ ବର୍ଷୀୟଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୫,୦୭୫ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ୫,୬୫୫ ରହିଛି । ସେହିପରି ୧୮-୩୦ ମଧ୍ୟରେ ୩୭,୯୪୧ ପୁରୁଷ, ୧୮,୫୮୮ ଜଣ ମହିଳା । ୩୦-୪୫ ମଧ୍ୟରେ ୪୦,୪୧୫ ପୁରୁଷ, ୧୧,୬୨୯ ମହିଳା । ୪୫-୬୦ ମଧ୍ୟରେ ୨୪,୫୫୪ ପୁରୁଷ, ୫,୬୦୭ ମହିଳା । ୬୦ରୁ ଅଧିକ ବୟସ୍କଙ୍କ ମଧ୍ୟରେ ୧୦,୯୯୪ ଜଣ ପୁରୁଷ, ୩,୫୪୭ ଜଣ ମହିଳା ରହିଛନ୍ତି ।

ସୁଇସାଇଡ୍ କ୍ଷେତ୍ରରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ମହାରାଷ୍ଟ୍ରରେ ୨୨,୨୦୭, ତାମିଲନାଡ଼ୁରେ ୧୮,୯୨୫, ମଧ୍ୟପ୍ରଦେଶରେ ୧୪,୯୬୫, ପଶ୍ଚିମବଙ୍ଗରେ ୧୩,୫୦୦, କର୍ଣ୍ଣାଟକରେ ୧୩,୦୫୬ ଜଣ ରହିଛନ୍ତି । ତେବେ ବର୍ତ୍ତମାନ ଭାରତ ସମେତ ସାରା ବିଶ୍ୱ ଏକ ଭୟଙ୍କର ଜାଲ ମଧ୍ୟରେ ଫସିଯାଇଛି ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଶାରୀରିକ ରୋଗ ପରି ମଣିଷର ମାନସିକ ସ୍ଥିତିରେ ଆତ୍ମହତ୍ୟାର କ୍ୟାନସର ଛାଇ ଯାଇଛି । ଯଦି ଏନେଇ କିଛି ଉଚିତ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନମାନଙ୍କରେ ଏହାର ଭୟଙ୍କର କୁପରିଣତି ଦେଖିବାକୁ ମିଳିବ ଏଥିରେ ସନ୍ଦେହ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସରେ ଶପଥ ନେବା ।

Get real time updates directly on you device, subscribe now.