fbpx

ଖୋଲିଲା ୧୧ ବର୍ଷ ତଳର ପୁରୁଣା ଫାଇଲ୍: ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୧୧ ବର୍ଷ ତଳରେ ଏକ ମାରପିଟ୍ ମାମଲାର ଶୁଣାଣି କରିଛନ୍ତି ଇନ୍ଦୋରର ସ୍ୱତନ୍ତ୍ର କୋର୍ଟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଦିଗବିଜୟଙ୍କୁ ୧ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ । ଦିଗବିଜୟଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ଏକ ବର୍ଷ ଲେଖାଏଁ ଜେଲଦଣ୍ଡ ହେବା ସହ ୨୫ ହଜାର ଟଙ୍କାର ଜମାନତରେ ସମସ୍ତଙ୍କୁ ଜାମିନ ଦିଆଯାଇଛି । ତେବେ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଅପିଲ କରିବେ ବୋଲି ଦିଗବିଜୟଙ୍କ ଓକିଲ କହିଛନ୍ତି ।

ଜଣାପଡ଼ିଛି ଯେ, ୨୦୧୧ରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଦିଗବିଜୟଙ୍କ ସହ ଭାଜପାର କିଛି କର୍ମୀଙ୍କର ଗଣ୍ଡଗୋଳ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଦିଗବିଜୟଙ୍କ ସହିତ ଅନ୍ୟ ୯ ଜଣଙ୍କ ନାମରେ ବିଭିନ୍ନ ଧାରାରେ ମାମଲା ଦାୟର କରାଯାଇଥିଲା । ସାକ୍ଷ୍ୟ ପ୍ରମାଣ ଅଭାବରୁ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଥିବା ବେଳେ ଦିଗବିଜୟଙ୍କ ସମେତ ଅନ୍ୟମାନଙ୍କୁ ୨୫ ହଜାର ଟଙ୍କାର ଜମାନତ ରାଶି ପଇଠ ପରେ ଜାମିନ ଦିଆଯାଇଛି ।

ଅନ୍ୟପଟେ ଏହି ଶୁଣାଣିକୁ ନେଇ ଦିଗବିଜୟ କହିଛନ୍ତି ଯେ, ୧୧ ବର୍ଷ ତଳେ ଦାୟର ହୋଇଥିବା ଏଫଆଇଆରରେ ମୋର ନାମ ନଥିଲା । ରାଜନୀତିକ ଉଦ୍ଦେଶ୍ୟରେ ମୋର ନାମକୁ ଏଥିରେ ଯୋଡ଼ା ଯାଇ ମୋତେ ଦଣ୍ଡିତ କରାଯାଇଛି । ମୁଁ ଅହଂସାବାଦୀ ଅଟେ, ସର୍ବଦା ହିଂସାତ୍ମକ କାର୍ଯ୍ୟକୁ ବିରୋଧ କରେ । ଯେତେ ଦଣ୍ଡ ବିଧାନ କଲେ ମଧ୍ୟ ମୁଁ ଭାଜପା କି ଆରଏସଏସକୁ ଡରିବି ନାହିଁ । ଏହି ରାୟ ବିରୋଧରେ ମୁଁ ହାଇକୋର୍ଟରେ ଅପିଲ କରିବି ।

Get real time updates directly on you device, subscribe now.