କାଲିଠାରୁ ଶସ୍ତା ହେବ ପିଆଜ ! ବଫର ଷ୍ଟକରୁ ଦିଲ୍ଲୀ ପହଞ୍ଚିବ ଏତିକି ଟନ୍

ନୂଆଦିଲ୍ଲୀ: ଦେଶରେ ପିଆଜ ମୂଲ୍ୟ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି । ଏଥିପାଇଁ ବଫର ଷ୍ଟକରୁ ଶସ୍ତାରେ ପିଆଜ ବିକ୍ରି କରିବା ସହ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନିଆଯାଉଛି । ବର୍ତ୍ତମାନ ପିଆଜର ମୂଲ୍ୟ ନିୟନ୍ତ୍ରଣ କରିବା ଦିଗରେ ବଜାରରେ ହସ୍ତକ୍ଷେପ କରିବ କେନ୍ଦ୍ର । ଏହା ଅନ୍ତର୍ଗତ ନଭେମ୍ବର ୨୧ରେ ୫ମ ପର୍ଯ୍ୟାୟର ୭୫୦ ଟନ୍ ବଫର ପିଆଜ ଦିଲ୍ଲୀ ପହଞ୍ଚିବ । ଗତ ମାସ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ପଦକ୍ଷେପର ଏହା ହେଉଛି ଏକ ଅଂଶ ବିଶେଷ । ଏହା ଅନ୍ତର୍ଗତ ରେଳ ମାଧ୍ୟମରେ ପ୍ରଥମ ଥର ପାଇଁ ବଫର ପିଆଜ ମହାରାଷ୍ଟ୍ରରୁ ଦିଲ୍ଲୀ ପହଞ୍ଚିବ । ବର୍ତ୍ତମାନ ସୁଦ୍ଧା ୪, ୦୧୦ ଟନ୍ ପିଆଜ କିଲୋ ପିଛା ୩୫ ଟଙ୍କା ହିସାବରେ ରିଟେଲରେ ବିକ୍ରି ପାଇଁ ପଠାଯାଇଛି ।

ସରକାରୀ ବୟାନ ଅନୁଯାୟୀ, ‘ସୋମବାର ନାସିକରୁ ୫ମ ପର୍ଯ୍ୟାୟର ପ୍ରାୟ ୭୫୦ ଟନ୍ ପିଆଜ ଦିଲ୍ଲୀ ପଠାଯାଇଛି । ଏହା ନଭେମ୍ବର ୨୧ରେ ଦିଲ୍ଲୀ ପହଞ୍ଚିବାର ସମ୍ଭାବନା ରହିଛି ।’ କହିରଖୁଛୁ ନଭେମ୍ବର ୧୭ରେ ଚତୁର୍ଥ ପର୍ଯ୍ୟାୟରେ ୮୪୦ ଟନ୍ ପିଆଜ ଦିଲ୍ଲୀ ପହଞ୍ଚିଥିଲା । ସରକାର ଦିଲ୍ଲୀ- ଏନସିଆରରେ ରିଟେଲ ବଜାରରେ ବିକ୍ରି କରିବା ପାଇଁ ମଦର ଡେୟରୀକ(୫୦୦), ଏନସିସିଏଫ୍‌(୧୯୦) ଏବଂ ନାଫେଡ(୧୫୦) ଟନ୍ ପିଆଜ ଆବଣ୍ଟନ କରିଥିଲେ । ସେହିପରି ସରକାରଙ୍କ ତରଫରୁ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ଏହି ପଦକ୍ଷେପ ଜାରି କରାଯାଇଛି । ନିକଟରେ ଗୁଆହାଟି ଏବଂ ଚେନ୍ନାଇକୁ ୮୪୦ ଟନ୍ ପଠାଯାଇଥିଲା । ଲକ୍ଷ୍ନୌରେ ମଧ୍ୟ ୨-୩ ଦିନ ଭିତରେ ୮୦୦ରୁ ଉର୍ଦ୍ଧ୍ୱ ଟନ୍ ପିଆଜ ପଠାଯିବ । କହିରଖୁଛୁ ଉତ୍ସବ ଋତୁ ଥିବାରୁ ଏବଂ ମଣ୍ଡି ବନ୍ଦ ଯୋଗୁଁ ବଜାରରେ ପିଆଜ ଯୋଗାଣରେ ଅଭାବ ପରେ ଏହାର ଯୋଗାଣ ବୃଦ୍ଧି କରବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।