ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟରେ ସହକାରୀ କୃଷି ଅଧିକାରୀ (ଏଏଓ) ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୧୨୪ଟି ପଦ ଖାଲି ରହିଥିବା ବେଳେ ୪୫ଟି ଅଣସଂରକ୍ଷିତଙ୍କ ପାଇଁ, ୧୪ଟି ଏସଇବିସିଙ୍କ ପାଇଁ, ୨୪ଟି ଏସସିଙ୍କ ପାଇଁ ଓ ୪୧ଟି ଏସଟି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବାର କ୍ଲାସ-୨ (ଗ୍ରୁପ)-ବି ପଦରେ ନିଯୁକ୍ତି ଦିଆଯିବ । ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଏହି ନିଯୁକ୍ତି ବାବଦରେ ସବିଶେଷ ତଥ୍ୟ ଜାଣି ପାରିବେ ।
ନଭେମ୍ବର ୧୨ ତାରିଖରୁ ଅର୍ଥାତ ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ଡିସେମ୍ବର ୧୧ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ୯୩୦୦-୩୪,୮୦୦ ଟଙ୍କା ପେ’ ସ୍କେଲରେ ବେତନ ପ୍ରଦାନ କରାଯିବ । ପ୍ରାଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନରୁ ଏଗ୍ରିକଲଚରରେ ବ୍ୟାଚେଲର ଡିଗ୍ରୀ କିମ୍ବା ହର୍ଟିକଲଚରରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଏଥିରେ ଆବେଦନ କରିବାକୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଅନଲାଇନ୍ ଆବେଦନ ଲିଙ୍କ: https://opscechayan.in/#/auth/landing