ଅନଲାଇନ ଟିକଟ ବୁକିଂରେ ସମସ୍ୟା ନେଇ କଟକିଆ ନିରାଶ, ୫-୬ରେ ଅଫଲାଇନ୍ ଟିକେଟ୍ ବିକ୍ରି

ଅନଲାଇନରେ ୪ ହଜାର ଟିକଟ ବିକ୍ରି ସରିଛି । ଟିକଟ ବୁକିଂ ବ୍ୟବସ୍ଥାକୁ ସହଜ କରିବା ପାଇଁ ଲୋକଙ୍କ ଦାବି ।

କଟକ: ବାରବାଟୀରେ ୯ ତାରିଖରେ ହେବ ଭାରତ- ଇଂଲଣ୍ଡ ମ୍ୟାଚ୍ । ଯାହାକୁ ନେଇ କଟକ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିିଳିଛି । ହେଲେ ଟିକଟ ପାଇଁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିବା ଜଣାପଡ଼ିଛି ।

ଅନ୍ ଲାଇନରେ ଟିକଟ ବିକ୍ରି ୨ ତାରିଖରୁ ଆରମ୍ଭ ହୋଇଯାଇଛି । ରିପୋର୍ଟ ମୁତାବକ ଅନଲାଇନରେ ୪୦୦୦ ଟିକଟ ବିକ୍ରି ହୋଇସାରିଛି । ହେଲେ ଅନଲାଇନରେ କୌଣସି ବ୍ୟତିକ୍ରମ ସକାଶୁ ଟିକଟ ବୁକିଂ ସମ୍ଭବପର ହୋଇ ନ ଥିବା କହିଛନ୍ତି କଟକର କିଛି ଲୋକ ।

ଅନଲାଇନରେ ତ୍ରୁଟି: ସେମାନଙ୍କ ମତରେ ଅନଲାଇନ ଟିକଟ ବୁକିଂ ସୁବିଧା ଜନକ କିନ୍ତୁ ବ୍ୟବସ୍ଥା ଠିକ୍ ନଥିବ କାରଣରୁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି । ଅନଲାଇନ ଟିକଟ ବୁକିଂବେଳେ ସର୍ଭର ଡାଉନ୍ ହୋଇଯାଉଥିବାବେଳେ ପ୍ରସେସିଂ ଡେରି ହେଉଛି, ଯାହା ପାଇଁ ଘଣ୍ଟା ଘଣ୍ଟା ମୋବାଇଲ ଓ କମ୍ପ୍ୟୁଟର ସାମ୍ନାରେ ବସିରହିବାକୁ ପଡ଼ୁଛି ।

ଏ ନେଇ ଓସିଏ ପକ୍ଷରୁ ସୁବନ୍ଦୋବସ୍ତ କରିବା ପାଇଁ ଲୋକ ଦାବି କରିଛନ୍ତି । ଅନ୍ୟପକ୍ଷେ, ଏଥରକ ଭିଭିଆଇପି ପାସ୍ ଓ ପାସ୍ ମାତ୍ରାଧିକ ଲୋକଙ୍କୁ ବାଣ୍ଟିବା ନେଇ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ରିପୋର୍ଟ ମୁତାବକ ୨୯,୦୦୦ ଲୋକଙ୍କ ପାଇଁ ପାସ୍ ରଖାଯାଇଥିବାବେଳେ ୬୯,୦୦୦ ଲୋକଙ୍କ ପାଇଁ ଟିକଟ ଉପଲବ୍ଧ ରହିଛି ।

ଲୋକେ ଉତ୍ସାହିତ: ଅଫ୍ ଲାଇନ ଟିକଟ ପାଇଁ କାଉଣ୍ଟରରେ ଭିଡ଼ହେବାକୁ ଥିବାବେଳେ କିଛି ଲୋକ ଅଫଲାଇନ୍ ଟିକେଟ୍ ବୁକିଂ ଉପରେ ନଜର ରଖିଛନ୍ତି । ଆଉ କିଛି ଲୋକ କହିଛନ୍ତି ଅଫଲାଇନରେ ଟିକଟ ମିଳିବା ସହଜ ନୁହେଁ ।

କଟକ ଲୋକଙ୍କୁ ଟିକଟ ମିଳୁ ଅବା ନ ମିଳୁ, ମ୍ୟାଚରେ ଇଣ୍ଡିଆ ଭଲ ପ୍ରଦର୍ଶନ କରିବା ସହ ମ୍ୟାଚ୍ ଜିତିବା ନେଇ କଟକିଆ ଆଶାବାଦୀ ।