fbpx

ଓଡିଶା ସରକାରଙ୍କ ବିଶ୍ୱସ୍ତରୀୟ ସହାୟତା: ଡ୍ରେନରେ ଭାସି ପ୍ରାଣ ହରାଇଲେ ମିଳୁଛି ମାତ୍ର ୪ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଆଉ ଆଜି ଡ୍ରେନ ପାଣିରେ ଭାସି ଯାଇଥିବା ମୃତ ଜ୍ୟୋତିଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ରିଲିଫ କୋଡ ଅନୁସାରେ ଏହି ସହାୟତା ଦିଆଯିବ ବୋଲି ସରକାର ଆଜି ଘୋଷଣା କରିଛନ୍ତି । ରାଜ୍ୟ ସରକାର ଜ୍ୟୋତିପ୍ରକାଶଙ୍କ ପରିବାରକୁ ମାତ୍ର ୪ ଲକ୍ଷ ଟଙ୍କା ଦେଇ କାମ ତୁଟାଇଦେଇଛନ୍ତି । ଏଠାରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି ୧୫ ବର୍ଷର ନିରୀହ ବାଳକର ପୁରା ଭବିଷ୍ୟତ ପଡିଥିଲା, ହେଲେ ରାଜ୍ୟ ସରକାରଙ୍କ ଡ୍ରେନ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ନିରୀହ ପିଲାଟି ଭାସିଗଲା । ଅର୍ଥାତ ପ୍ରବଳ ବର୍ଷା କାରଣରୁ ଯଦି କେହି ଡ୍ରେନରେ ଭାସିଯାଏ ତେବେ ଦିଆଯିବ କେବଳ ମାତ୍ର ୪ ଲକ୍ଷ ଟଙ୍କା । ୪ ଲକ୍ଷ ଟଙ୍କା କେତେ ଦୂର ପର୍ୟ୍ୟାପ୍ତ ହେବ ଆପଣ ମାନେ ଥରେ ଚିନ୍ତା କରନ୍ତୁ ।

ରାଜ୍ୟ ସରକାର ଗୋଟେ ପଟେ, କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ କୋଭିଡ କାରଣରୁ ପ୍ରାଣ ହରାଇଲେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ଏହି ସମୟରେ କିଛି ସାମ୍ବାଦିକ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ସେମାନଙ୍କୁ ଏହି ଅଙ୍କ ଦିଆଯାଇଥିଲା । କିନ୍ତୁ ଜ୍ୟୋତିଙ୍କ କ୍ଷେତ୍ରରେ ଏତେ ପାତରଅନ୍ତର କାହିଁକି କରାଯାଇଛି ସେନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି । ସେହିପରି ୪ ଲକ୍ଷ ଟଙ୍କା କଣ ୧୫ ବର୍ଷୀୟ ପୁଅର ବିୟୋଗର ଦୁଃଖକୁ ଲାଘବ କରିପାରିବ?

ସୂଚନାଯୋଗ୍ୟ, ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଛାତ୍ର ଜ୍ୟୋତିପ୍ରକାଶ ନାଳରେ ଭାସିଯାଇଥିଲେ । ୧୫ ବର୍ଷର ଜ୍ୟୋତିପ୍ରକାଶ ବେହେରା ଟ୍ୟୁସନ୍ ଯାଉଥିବା ବେଳେ ନାଳରେ ଭାସିଯାଇଥିଲେ । ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିବା ବେଳେ ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର କରିଥିଲେ । ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ମିଳିଥିଲା ମୃତଦେହ । ବାରମ୍ବାର ଡ୍ରେନ ସମସ୍ୟାକୁ ନେଇ ଲୋକ ମାନେ ସହରରେ ବନ୍ୟା ପରି ସ୍ଥିତି ର ସମାନ କରୁଛନ୍ତି ।

 

Get real time updates directly on you device, subscribe now.