ଅଯୋଧ୍ୟା:ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରୁ ପ୍ରାୟ ୪୦୦କିଲୋମିଟର ଦୂର ଓରଛାରେ ରାମଲଲାଙ୍କୁ ରାଜା ରାମ ରୂପରେ ପୂଜା କରାଯାଏ । ଏଠାରେ ମନ୍ଦିରରେ ପୋଲିସ ରାଜା ରାମଙ୍କୁ ଦେଇଥାନ୍ତି ଗାର୍ଡ ଅଫ୍ ଅନର । ଆସନ୍ତୁ ଜାଣିବା ପ୍ରଭୁ ଶ୍ରୀରାମଙ୍କର ଏହି ମନ୍ଦିର ସହ କ’ଣ ସଂପର୍କ ରହିଛି ।
ପ୍ରଭୁ ରାମଲଲାଙ୍କର ଅଯୋଧ୍ୟା ସହ ଯେପରି ନିବିଡ ସଂପର୍କ ରହିଛି ସେହିପରି ଓରଛା ସହ ମଧ୍ୟ ସଂପର୍କ ରହିଛି । ଆମେ ଏଠାରେ କହୁଛୁ ମଧ୍ୟପ୍ରଦେଶ ଓରଛା ସହରର କଥା । ଏଠାରେ ଏକ ମନ୍ଦିର ଭଗବାନ ରାମଙ୍କୁ ସମର୍ପିତ ଯାହାକୁ ରାଜା ରାମ ମନ୍ଦିର କୁହାଯାଏ । ପୁରା ବିଶ୍ୱରେ ଏହା ଏକ ମନ୍ଦିର ଯେଉଁଠି ଭଗବାନ ରାମଙ୍କୁ ପୋଲିସ ସଲାମୀ ଦେଇଥାଏ । ଏହି ମନ୍ଦିର ସହ ଜଡିତ ଆହୁରି ଅନେକ ଖାସ୍ କଥା ବି ରହିଛି । ଆସନ୍ତୁ ସେ ବିଷୟରେ ଜାଣିବା ।
ମନ୍ଦିରରେ ନିୟୋଜିତ ଏଠିକାର ଜଣେ ପୋଲିସ କର୍ମୀ କହିଛନ୍ତି ମଧ୍ୟପ୍ରଦେଶ ପୋଲିସ ଓରଛା ରାମ ମନ୍ଦିରରେ କୌଣସି ରାଜା କିମ୍ବା ଭିଆଇପି ପ୍ରୋଟକଲ ପରି ଜଣେ ଗାର୍ଡ ଭାବରେ ନିଯୁକ୍ତ ହୋଇଥାନ୍ତି ଓ ରାଜା ରାମଙ୍କ ମନ୍ଦିରରେ ବନ୍ଧୁକରେ ସଲାମୀ ଦିଆଯାଏ । ଏଠାରେ ପୋଲିସ ବାହିନୀ ରାମଙ୍କୁ ଗାର୍ଡ ଅଫ୍ ଅନର ଦେଇଥାନ୍ତି । ଓରଛାକୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଯେକେହି ବି ଆସନ୍ତୁ କାହାକୁ ବି ସଲାମୀ ଦିଆଯାଏ ନାହିଁ । କାରଣ ଏଠାରେ କେବଳ ରାଜା ରାମଙ୍କୁ ହିଁ ସଲାମୀ ଦିଆଯାଏ ।
ଏହି ମନ୍ଦିରର ପୂଜାରୀ ବିଜୟ ଗୋସ୍ୱାମୀ କହନ୍ତି ରାଜା ରାମ ଦିନରେ ଏଠାରେ ରୁହନ୍ତି ଓ ରାତିରେ ଶୟନ କରିବାକୁ ଅଯୋଧ୍ୟା ଚାଲିଯାଆନ୍ତି । ଓରଛାରେ ରହୁଥିବା ରାମଲଲା ଦିନରେ ଏଠାରେ ରାଜା ରାମ ପାଲଟିଯାଆନ୍ତି । ଦିନରେ ସେ ଏଠାରେ ସମସ୍ତ କାମ ସଂପୂର୍ଣ୍ଣ କରିଥାନ୍ତି ଓ ରାତିରେ ତାଙ୍କୁ ଅଯୋଧ୍ୟା ବିଦା କରିବାକୁ ସମସ୍ତ ପ୍ରସ୍ତୁତି କରାଯାଏ । ରାତି ୯ଟା ସମୟରେ ମନ୍ଦିରରେ ଘଣ୍ଟ, ଶଙ୍ଖ, ଢୋଲ, ତୁରୀ ଆଦି ବାଦ୍ୟଧ୍ୱନିରେ ରାମଲଲାଙ୍କ ଆରତୀ ହୋଇଥାଏ । ଆରତୀ ପରେ ପୂଜାରୀ ରାଜା ରାମଙ୍କୁ ଏକ ଦୀପକ ଭାବରେ ମନେ କରି ପାତାଳୀ ହନୁମାନ ନେଇଯାଇଥାନ୍ତି । ସେଠାରେ ରାଜାରାମଙ୍କୁ ଅଯୋଧ୍ୟା ନେଇ ଯିବାକୁ ହନୁମାନଜୀଙ୍କୁ ଅନୁରୋଧ କରାଯାଏ ।