OCS ନିଯୁକ୍ତି ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓସିଏସ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୯୯ଟି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସେଥିମଧ୍ୟରେ ୩୦ଟି ଓଏଏସ, ୫୬ଟି ଓଏଫଏସ, ୬ଟି ଓପିଏସ, ୧୨ଟି ଓସିଏସ, ୯୦ଟି ଓଆରଏସ, ୧୧୩ଟି ଓଏଲଏସ, ୬୮ଟି ଓଟି ଆଣ୍ଡ ଏଏସ, ୧ଟି ଓଡ଼ିଶା ଏମ୍ପୟମେଣ୍ଟ ସେବା (ଓଇଏସ), ୪ଟି ଓସିଏଏସ ଓ ୧୯ଟି ଓଡ଼ିଶା ପର୍ଯ୍ୟଟନ ସେବା (ଓଟିଏସ) ପଦ ସଂରକ୍ଷିତ ରହିଛି ।

ଆସନ୍ତା ମାସ ୧୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୧୬ ତାରିଖରେ ସମାପ୍ତ ହେବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷାରେ ଲେଖିବା, କହିବା ଓ ପଢ଼ିବା ଜାଣିଥିବେ । ପ୍ରିଲିମିନାରୀ ପରୀକ୍ଷାରେ ୨୦୦-୨୦୦ ଲେଖାଏଁ ମୋଟ ୪୦୦ ମାର୍କର ପରୀକ୍ଷା ହେବ । ୟୁଆରଙ୍କ ପାଇଁ ୨୨୯ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୩୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୬୦ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୭୨ଟି ପଦ ସଂରକ୍ଷିତ ରହିଛି ।