fbpx

ରାଜ୍ୟରେ ଗଠନ ହେବ Osteopathy Council, ରିପୋର୍ଟ ପ୍ରଦାନ କଲା ବିଶେଷଜ୍ଞ କମିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗଠନ ହେବ ଓଷ୍ଟିଓପ୍ୟାଥି ପରିଷଦ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗଠିତ ହୋଇଥିବା ବିଶେଷଜ୍ଞ କମିଟି ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିସାରିଛି । ତେଣୁ ଓଷ୍ଟିଓପ୍ୟାଥି ପରିଷଦ ଗଠନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଅନୁମୋଦନ ଦେଇପାରନ୍ତି ବୋଲି କୁହାଯାଉଛି ।

ବର୍ତ୍ତମାନ ରାଜ୍ୟରେ କେବଳ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଓଷ୍ଟିଓପ୍ୟାଥି ପାଠ୍ୟକ୍ରମ ରହିଛି । ସେଠାରେ ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ ପଢ଼ୁଛନ୍ତି । ମାତ୍ର ଏହି ପାଠ୍ୟକ୍ରମ ଚିରାଚରିତ ଏମବିବିଏସ କିମ୍ବା ଆୟୁଷ ପାଠ୍ୟକ୍ରମ ଅଧୀନରେ ଆସୁନାହିଁ । ତେଣୁ ଏହି ପାଠ୍ୟକ୍ରମକୁ ନିୟନ୍ତ୍ରଣ କରିବାକୁ ହେଲେ ଏହାର ଏକ ସ୍ୱତନ୍ତ୍ର ପରିଷଦର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟ।।ଳୟ ପରିଦର୍ଶନ କରି ଓଷ୍ଟିଓପ୍ୟାଥି ପାଠ୍ୟକ୍ରମ ଓ କାଗଜପତ୍ର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିଛନ୍ତି ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଓଷ୍ଟିଓପ୍ୟାଥି ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ହୋଇଥିବାରୁ ଏହାର ଏକ ପରିଷଦ ଗଠନ କରିବାର ଆବଶ୍ୟକତା ରହିଥିବା ନେଇ ସରକାର ବିଚାର କରୁଛନ୍ତି । ଏହାଫଳରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ପରିଷଦ ଅଧୀନରେ ନିଜର ନାମ ପଞ୍ଜୀକରଣ କରିପାରିବେ । ଏଥିସହ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମ ଖୋଲିବାକୁ ହେଲେ ମଧ୍ୟ ପରିଷଦ ଜରିଆରେ ଅନୁମୋଦନ ପାଇପାରିବେ ।

Get real time updates directly on you device, subscribe now.