fbpx
BSKY
BJD SHG SKY
BJD MC SKY

ନୀତିଶଙ୍କ ବଡ଼ ନିଷ୍ପତ୍ତି: ବିହାର ଶିକ୍ଷକ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟର ପ୍ରାର୍ଥୀ ଆବେଦନ କରିପାରିବେ, ୧.୭୮ ଲକ୍ଷ ପଦ ଖାଲି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ନିୟମରେ ସଂଶୋଧନ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଶିକ୍ଷକ ନିଯୁକ୍ତି ପାଇଁ କେବଳ ବିହାରର ପ୍ରାର୍ଥୀମାନେ ଆବେଦନ କରୁଥିଲେ । ମାତ୍ର ଏବେ ଭାରତବର୍ଷର ଯେ କୌଣସି ରାଜ୍ୟର ପ୍ରାର୍ଥୀମାନେ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ନୀତିଶଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି ।

ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିହାରର ନାଗରିକଙ୍କୁ ସଂରକ୍ଷଣ ମିଳିବ ନାହିଁ । ଯେ କୌଣସି ରାଜ୍ୟର ପ୍ରାର୍ଥୀ ବିହାରରେ ଶିକ୍ଷକ ଚାକିରି ପାଇଁ ଆବେଦନ କରିପାରିବେ । ଏଥିସହିତ ଆବେଦନକାରୀ ରାଜ୍ୟର ବାସିନ୍ଦା ହେବା ବାଧ୍ୟତାମୂଳକ ହେବ ନାହିଁ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ମିଡ଼ିଆକୁ ସୂଚନା ଦେଇଛନ୍ତି ।

ଗତ ମେ ମାସ ୨ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ଶ୍ରେଣୀ ପାଇଁ ୧.୭୮ ଲକ୍ଷ ଶିକ୍ଷକ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ରାଜ୍ୟରେ ୮୫,୪୭୭ ପ୍ରାଥମିକ ଶିକ୍ଷକ, ୧,୭୪୫ ମାଧ୍ୟମିକ ଶିକ୍ଷକ ଓ ୯୦,୮୦୪ ଉଚ୍ଚ ବର୍ଗର ଶିକ୍ଷକ ନିଯୁକ୍ତି ପାଇବେ । ବିହାର ଲୋକସେବା ଆୟୋଗ (ବିପିଏସସି) ଏହି ନିଯୁକ୍ତି କରିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.